କିମ୍‌ସ କୋଭିଡ୍ ହସପିଟାଲରେ ଶିଶୁ ଜନ୍ମ

ଭୁବନେଶ୍ବର : କିମ୍‌ସର କୋଭିଡ୍‌ ହସ୍ପିଟାଲ୍‌ରେ ଜଣେ କରୋନା ଆକ୍ରାନ୍ତ ମହିଳା ଆଜି ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଗତ ମାସ ୩୦ ତାରିଖରେ ବାହାର ରାଜ୍ୟରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିବା ଏହି ମହିଳା କାରୋନା ସଂକ୍ରମିତ ଜଣାପଡ଼ିବା ପରେ ତାଙ୍କୁ କିମ୍‌ସ କୋଭିଡ୍‌ ହସପିଟାଲ ସ୍ଥାନାନ୍ତର କରାଯାଇଥିଲା। ଚଳିତ ମାସ ୨୧ ତାରିଖରେ ତାଙ୍କର ପ୍ରସବ ହେବ ବୋଲି ଡାକ୍ତର ସମୟ ଧାର୍ଯ୍ୟ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ରୋଗୀଙ୍କ ନମୁନା ନେଗେଟିଭ୍‌ ଆସିବା ପର୍ଯ୍ୟନ୍ତ ତାଙ୍କର ପ୍ରସବକୁ ସ୍ଥଗିତ ରଖିବା ପାଇଁ କିମ୍‌ସ ଡାକ୍ତରମାନେ ଯୋଜନା କରିଥିଲେ। କିନ୍ତୁ ଜୁନ୍‌ ୧ ତାରିଖରେ ମହିଳାଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହେବାରୁ ସେହି ହସ୍‌ପିଟାଲରେ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା। କାରୋନା ଆକ୍ରାନ୍ତ ଥିବାରୁ ତାଙ୍କୁ ସାଧାରଣ ପ୍ରସବ କରାଇବା ବିପଦପୂର୍ଣ୍ଣ ଥିଲା। ତେଣୁ ଅସ୍ତ୍ରେପାଚାର ଜରିଆ‌‌‌‌ରେ ପ୍ରସବ କରାଯାଇଥିଲା। ଉଭୟ ମାଆ ଓ ଶିଶୁ ସୁସ୍ଥ ଅଛନ୍ତି। ନବଜାତକର କୋଭିଡ୍‌ ନମୁନା ନେଗେଟିଭ୍‌ ରହିଥିବା ଜଣାଯାଇଛି। ଏହି ସଫଳତା ପାଇଁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିମ୍‌ସ କୋଭିଡ-୧୯ ହସ୍ପିଟାଲ ଓ କିମ୍‌ସ ଡାକ୍ତର, ନର୍ସମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିକଟରେ କିମ୍‌ସ କୋଭିଡ୍‌ ହସପିଟାଲରେ ଚିକିତ୍ସିତ କେତେକ କାରୋନା ଆକ୍ରାନ୍ତ ଗର୍ଭବତୀ ମହିଳା ମଧ୍ୟ ସୁସ୍ଥ ହୋଇ ଫେରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର