ରାସ୍ତା କଡ଼େ ପୁତ୍ର ସନ୍ତାନ ଜନ୍ମ

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ ବଡ଼ ବରଗାଁରେ ଜଣେ ମାନସିକ ଦୁର୍ବଳ ମହିଳା ଗାଁ ରାସ୍ତା କଡ଼େ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଖବର ପାଇ ଅଙ୍ଗନଓ୍ଵାଡ଼ି ଓ ଆଶାକର୍ମୀ ପହଞ୍ଚି ମହିଳା ଜଣଙ୍କୁ ପୁରୁଷୋତ୍ତମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି। ନବଜାତ ଶିଶୁର ଲାଳନପାଳନ ନେଇ ସ୍ଥାନୀୟ ମହିଳା ଓ ଶିଶୁ ବିକାଶ ଅଧିକାରୀଙ୍କ ପକ୍ଷରୁ ଚାଇଲଡ୍‌ ଲାଇନ୍‌ର ଦୃଷ୍ଟି ଆକର୍ଷଣ କରା ଯାଇଥିଲା। ଚାଇଲ୍‌ଡ ଲାଇନ୍‌ କର୍ମକର୍ତା ପ୍ରଣତି କର ଓ କଲ୍ୟାଣ କୁମାର ସିଂ ପୁରୁଷୋତ୍ତମପୁର ଡାକ୍ତରଖାନାରେ ପହଞ୍ଚି ଶିଶୁପୁତ୍ରକୁ ନେବା ପାଇଁ ଉଦ୍ୟମ କରିଥିଲେ। ଗ୍ରାମବାସୀ ଏଥିରେ ହସ୍ତକ୍ଷେପ କରି ଉଭୟ ଶିଶୁପୁତ୍ର ଓ ମା’ଙ୍କୁ ନେବା ପାଇଁ କହିଥିଲେ। କିନ୍ତୁ ଚାଇଲ୍‌ଡ ଲାଇନ୍‌ କର୍ମକର୍ତ୍ତା ରାଜି ହୋଇ ନ ଥିଲେ। ଗ୍ରାମବାସୀ ସେମାନଙ୍କୁ ଫେରାଇ ଦେଲେ। ଶେଷରେ ମା’ ଓ ଶିଶୁଙ୍କୁ ଉକ୍ତ ମହିଳାଙ୍କ ଜଣେ ସମ୍ପର୍କୀୟ ଭାଇଙ୍କ ଜିମା ଛଡ଼ା ଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ବଡ଼ବରଗାଁ ଗ୍ରାମର ଜଣେ ମହିଳା ଦମୟନ୍ତୀ ଡାକୁଆ ପୋଲସରା ଥାନା ଅନ୍ତର୍ଗତ ବର୍ତ୍ତିନୀ ଗ୍ରାମରେ ବିବାହ କରିଥିଲେ। ତାଙ୍କର ତିନୋଟି ସନ୍ତାନ ଅଛନ୍ତି। କିଛି ଦିନ ପରେ ସେ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ। କୁଳ ଲୋକଙ୍କୁ ଜଣାଇ ଦମୟନ୍ତୀଙ୍କ ସ୍ୱାମୀ ଅନ୍ୟତ୍ର ବିବାହ କରିଥିଲେ। ଇତିମଧ୍ୟରେ ଦମୟନ୍ତୀଙ୍କ ବାପା ଓ ମା’ଙ୍କ ଦେହାନ୍ତ ହୋଇଛି। ଭାଇ ମଧ୍ୟ ମାନସିକ ରୋଗାଗ୍ରାସ୍ତ। ଦମୟନ୍ତୀଙ୍କୁ ନିଜ ଗାଁ ଓ ଆଖପାଖ ଗାଁରେ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଥିଲା। ସେ ଗର୍ଭବତୀ ହୋଇ ଗାଁ ଦାଣ୍ଡରେ ଶିଶୁପୁତ୍ର ଜନ୍ମ ଦେବା ପରେ ଅଙ୍ଗନଓ୍ଵାଡି କର୍ମୀ ଏସ୍‌. ଦମୟନ୍ତୀ ଦୋରା ଓ ଆଶଶକର୍ମୀ ଜି. ସୁଲୋଚନା ଦୋରା ତାଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶିଶୁ ପୁତ୍ରର ଓଜନ ଅଢ଼େଇ କିଲୋ ରହିଛି। ପୁରୁଷୋତ୍ତମପୁର ସିଡ଼ିପିଓ ସବିତା ଚ୍ୟାଉ ପଟ୍ଟନାୟକ ମେଡ଼ିକାଲ୍‌ରେ ପହଞ୍ଚି ଶିଶୁ ପୁତ୍ରର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଗ୍ରାମବାସୀଙ୍କ ଠାରୁ ଉଭୟଙ୍କ ରକ୍ଷଣାବେକ୍ଷଣା ସମ୍ପର୍କରେ ଅବଗତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର