ଚଳନ୍ତା ବସ୍‌ରେ ପିଲା ଜନ୍ମ କଲେ ମହିଳା

ଜନନୀ ସୁରକ୍ଷା ଯୋଜନା ଏମିତି

କଳାବାଡ଼ିଆ : ଜନନୀ ସୁରକ୍ଷା ଯୋଜନାର ବାସ୍ତବ ଚିତ୍ର ଆଜି ସଭିଙ୍କୁ ଚକିତ କରିଛି। ଦୁର୍ଗମ ଇଲାକାରୁ ଆସୁଥିବା ଜଣେ ଗର୍ଭବତୀ ମହିଳା ଚଳନ୍ତା ବସ୍‌ରେ ପିଲା ଜନ୍ମ କରିଛନ୍ତି। ଏହି ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକରେ। ଆମ୍ବୁଲାନ୍‌ସ କିମ୍ବା ୧୦୨ ଜନନୀ ଏକ୍ସପ୍ରେସ୍‌ ସେବା ମିଳିନଥିଲା। ପ୍ରସବ ବେଦନା ହେବାରୁ ପରିବାର ଲୋକ ବାଧ୍ୟ ହୋଇ ତାଙ୍କୁ ବସ୍‌ରେ ନେଇ ଯାଉଥିଲେ ଡାକ୍ତରଖାନା। ହେଲେ ପହଞ୍ଚି ପାରିଲେନି। ବସ୍‌ ଭିତରେ ହିଁ ମହିଳାଜଣକ ଏକ ଶିଶୁକନ୍ୟାକୁ ଜନ୍ମ ଦେଲେ।

ବାଙ୍ଗିରିପୋଷି ବ୍ଲକ ଚାକିଡ଼ିରୁ (ଶୁଭମ) ବସ୍‌ରେ ଚଢ଼ିଥିଲେ ସିଂଘୁ ମୁର୍ମୁ ଓ ଗର୍ଭବତୀ ପତ୍ନୀ ଚମ୍ପା ମୁର୍ମୁ। ବାଙ୍ଗିରିପୋଷି ଡାକ୍ତରଖାନାକୁ ଯାଇଥାନ୍ତେ। ବାଟରେ ଚମ୍ପାଙ୍କ ପ୍ରସବ ଯନ୍ତ୍ରଣା ବଢ଼ିଥିଲା। ବସ୍‌ଟି କୁସୁମବନ୍ଧ ଭେଲ ଛକ ପାଖରେ ପହଞ୍ଚିବା ପୂର୍ବରୁ ମହିଳାଜଣକ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। କୌଣସି ଉପାୟ ନପାଇ ରାସ୍ତାପାର୍ଶ୍ୱରେ ଡ୍ରାଇଭର ଗାଡ଼ି ରଖିଦେଇଥିଲେ। ପୁରୁଷ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା। ସାଙ୍ଗରେ ଥିବା ମହିଳାଯାତ୍ରୀମାନେ ସହଯୋଗ କରିଥିଲେ। କିଛି ସମୟ ଭିତରେ ମହିଳାଜଣକ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଏହାପରେ ଗାଡ଼ି ସିଧା ଯାଇ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲା। ଡାକ୍ତରଖାନାରେ ଉଭୟ ମା’ ଓ ଛୁଆ ସୁସ୍ଥ ଥିବା ଜଣାପଡ଼ିଛି।

ଏହି ଘଟଣା ମଧ୍ୟରେ ବସ୍‌ଟି ବହୁ ସମୟ ଅଟକିଯାଇଥିଲା। ଏଣୁ ଗନ୍ତବ୍ୟସ୍ଥଳ ବାରିପଦାକୁ ଆଉ ଯାଇନଥିଲା ବୋଲି ମାଲିକ ଦେବାଶିଷ ସେଠୀ କହନ୍ତି। ତେବେ ବସ୍‌ କର୍ମଚାରୀ ମାନବିକତା ଦେଖାଇଥିବାରୁ ସେ ଖୁସି ବୋଲି କହିଛନ୍ତି। ଚାକିଡ଼ିରେ ଅନେକ ସମୟରେ ଟେଲିଫୋନର ନେଟୱର୍କ ଲାଗିନଥାଏ। ଫଳରେ ଅନେକ ସମୟରେ ଏଭଳି ଅବସ୍ଥା ଦେଖିବାକୁ ମିଳିଥାଏ। ଏନେଇ ଗତ ୪ ତାରିଖରେ ବାଙ୍ଗିରିପୋଷିରେ ଜନଶୁଣାଣିରେ ଉପଜିଲ୍ଲାପାଳ ମହମ୍ମଦ ଅବଦୁଲ ଅଖତରଙ୍କୁ ଗ୍ରାମବାସୀ ଅଭିଯୋଗ ମଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର