ବ୍ରହ୍ମପୁର : ଲକ୍ଡାଉନ କୋହଳ ପରେ ସୁରତରୁ ଓଡ଼ିଆ ଶ୍ରମିକଙ୍କ ଘରବାହୁଡ଼ା ଆରମ୍ଭ ହୋଇଛି। ତେବେ ଫେରୁଥିବା ସମୟରେ ସେମାନଙ୍କୁ ବିଭିନ୍ନ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଛି। ଏଭଳି ସ୍ଥିତିରେ ସୁରତରୁ ଭଦ୍ରକ ଜିଲ୍ଲାକୁ ଯାଉଥିବା ଏକ ବସ୍ରେ ଆସୁଥିବା ଜଣେ ଗର୍ଭବତୀ ମହିଳା ଅଧରାସ୍ତାରେ କନ୍ୟାସନ୍ତାନ ପ୍ରସବ କରିଛନ୍ତି। ମହାରାଷ୍ଟ୍ରର ନାଗପୁର ନିକଟ ଏକ ଡାକ୍ତରଖାନାରେ ସେ ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଥିବା ବେଳେ ନବଜାତକ ଓ ମା’ ଉଭୟ ସୁସ୍ଥ ଅଛନ୍ତି।
ଗତକାଲି ଅପରାହ୍ଣ ୨ଟା ବେଳେ ସୁରତର କଦୋଦରାରୁ ଏକ ବସ୍ ୫୬ ଶ୍ରମିକଙ୍କୁ ନେଇ ଭଦ୍ରକର ତିହିଡ଼ି ବ୍ଲକ୍ ଅଭିମୁଖେ ବାହାରିଥିଲା। ଏଥିରେ ତିହିଡ଼ି ବ୍ଲକ କୋବେରା ପଞ୍ଚାୟତ ଦେଉଳ ଗ୍ରାମର ସୁଶାନ୍ତ ବେହେରା ଏବଂ ତାଙ୍କ ପତ୍ନୀ ଡଲିଲତା ବଳ ଆସୁଥିଲେ। ଡଲିଲତା ଗର୍ଭବତୀ ଥିଲେ। ହେଲେ ବସ୍ ଆଜି ଅପରାହ୍ଣ ୫ଟା ସମୟରେ ନାଗପୁର ଅତିକ୍ରମ କରୁଥିବା ବେଳେ ଡଲିଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। ସୁଶାନ୍ତ ବସ୍ ଅଟକାଇବାକୁ କହିଥିଲେ। ସେଠାରେ ଆମ୍ବୁଲାନ୍ସକୁ ସଂଗେ ସଂଗେ ଫୋନ୍ କରାଯାଇଥିଲା। ଆମ୍ବୁଲାନ୍ସ ଯୋଗେ ଡଲିଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଆଜି ସନ୍ଧ୍ୟା ସାଢ଼େ ୬ଟାରେ ଡଲି ଉକ୍ତ ମେଡ଼ିକାଲରେ ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଛନ୍ତି। ମା ଏବଂ ଶିଶୁ ଉଭୟ ସୁସ୍ଥ ରହିଥିବା ତାଙ୍କ ସ୍ବାମୀ ସୁଶାନ୍ତ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।