ରାସ୍ତା‌ରେ ଲୋଟିଲା ‘ମମତା’, ଶାଢ଼ି ବେଢ଼ାଇ ପ୍ରସବ

ପାରଳାଖେମୁଣ୍ତି : ଜଣେ ଅସହାୟ ମହିଳା ବିଚ୍‌ ରାସ୍ତାରେ ଏକ କନ୍ୟା ସନ୍ତାନ ପ୍ରସବ କରିଛନ୍ତି। କୌଣସି ଦୁର୍ଗମ କିମ୍ବା ଉପାନ୍ତ ଇଲାକାର ଘଟଣା ନୁହେଁ, ବରଂ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଜନଗହଳିପୂର୍ଣ ବଜାର ରାସ୍ତାରେ ଏଭଳି ସମ୍ବେଦନଶୀଳ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ରାସ୍ତା କଡ଼ରେ ଘଣ୍ଟାଏ କାଳ ପ୍ରସବ ବେଦନାରେ ଛଟପଟ ହେଉଥିଲେ ଗରିବ ଓ ଅସହାୟା ମହିଳା। ଲାଗୁଥିଲା ଯେମିତି ରାସ୍ତରେ ଲୋଟିପଡ଼ିଛି ମମତା।

ଗତକାଲି ଘଟିଥିଲା ଏହି ଘଟଣା। ସବୁଆଡ଼େ ଥିଲା ଦୀପାବଳିର ମାହୋଲ୍। ସକାଳ ପ୍ରାୟ ୧୦ଟାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଜନଗହଳି ନିକଟ ରାସ୍ତାକଡ଼ରେ ଜଣେ ଗରିବ ଓ ଅସହାୟ ମହିଳା ପ୍ରସବ ବେଦନାରେ ପ୍ରବଳ ଚିତ୍କାର କରି କାନ୍ଦୁଥିଲେ। ‌ତାଙ୍କୁ ଦେଖି ଭିଡ଼ ଜମିଯାଇଥିଲା। ହେଲେ କେହିବି ତାଙ୍କ ପାଖକୁ ଯିବା ଲାଗି ସାହସ ଜୁଟାଇ ପାରୁ ନଥିଲେ। ପରେ କିଛି ଗଣମାଧ୍ୟମର ପ୍ରତିନିଧି ଓ ବୁଦ୍ଧିଜୀବୀ ସେଠାରେ ପହଞ୍ଚିଥିଲେ। ପ୍ରସବ ସମୟ ପାଖେଇଆସୁଥିବା ଜାଣି ଜଣେ ସାମ୍ବାଦିକ ସଂଗେ ସଂଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ହେଲ୍ସ ଡେସ୍କ୍ ଓ ସହକାରୀ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମୋବାଇଲ୍‌ରେ ଯୋଗାଯୋଗ କରିଥିଲେ ବି କୌଣସି ଉତ୍ତର ମିଳି ନଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବି ଘଟଣାକୁ ଗୁରୁତ୍ବର ସହ ନନେଇ କେବଳ ଆମ୍ବୁଲାନ୍ସ୍ ଡାକିବା ଲାଗି କହିଥିଲେ।

ହେଲେ ମହିଳାଙ୍କ ପ୍ରସବ ବେଦନା ଏତେ ଅସହ୍ୟ ହୋଇଥିଲା ଯେ, ସେଠାରୁ ଆଉ ସେ ଘୁଞ୍ଚିବା ଅବସ୍ଥାରେ ବି ନଥିଲେ। ଠିକ୍ ଏହି ସମୟରେ ଜଣେ ସ୍ବାସ୍ଥ୍ୟକର୍ମୀ ସେହି ରାସ୍ତା ଦେଇ ଯାଉଥିବା ବେଳେ ତାଙ୍କ ନଜରରେ ଏହି ଘଟଣା ପଡ଼ିଥିଲା। ଜଣେ ବୃଦ୍ଧାଙ୍କ ସହାୟତାରେ ସେ ମହିଳାଙ୍କୁ ପ୍ରସବ କରାଇଥିଲେ। ଦୁଇଜଣ ପୁରୁଷ ଲୁଗା ବେଢ଼ାଇ ଛିଡ଼ା ହୋଇଥିଲେ। ଏହି ଦୃଶ୍ୟ ଅତ୍ୟନ୍ତ ଦାରୁଣଦାୟକ ଥିଲା। ରାସ୍ତାରେ ପ୍ରସବ ପରେ ନବଜାତକ ଓ ମହିଳାଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଦୁଇଜଣ ସୁସ୍ଥ ଥିବା ସହ ସେମାନଙ୍କୁ ଗତକାଲି ହିଁ ଡିସଚାର୍ଜ କରିଦିଆ ଯାଇଥିଲା। ତେବେ ଏହି ଘଟଣା ରାଜ୍ୟ ସରକାରଙ୍କ ମମତା ଯୋଜନା ଓ ସୁରକ୍ଷିତ ମାତୃତ୍ବ ଯୋଜନା କାର୍ଯ୍ୟକାରିତା ଉପରେ ଅଙ୍ଗୁଳି ନି‌ର୍ଦ୍ଦେଶ କରିଛି।

ସମ୍ବନ୍ଧିତ ଖବର