ଖୁଣ୍ଟୁଣୀ : କଟକ ଜିଲ୍ଲା ଆଠଗଡ଼ ବ୍ଲକର ଗୁରୁଡ଼ିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ପଡ଼ିଥିବାରୁ ପ୍ରସବ ପାଇଁ ଡାକ୍ତରଖାନା ଆସିଥିବା ଜଣେ ମହିଳା ଚିକିତ୍ସା ସେବା ନପାଇ ଅଟୋରେ କନ୍ୟା ସନ୍ତାନ ପ୍ରସବ କରିଛନ୍ତି। ପ୍ରସବ ପରେ ଚିକିତ୍ସା ଅଭାବରୁ ନବଜାତ ଶିଶୁକନ୍ୟାର ମୃତ୍ୟୁ ବି ହୋଇଛି। ଏହି ଘଟଣା ଆଜି ଗୁରୁଡ଼ିଝାଟିଆ ଅଞ୍ଚଳରେ ଗଭୀର ଅଲୋଡନ ସୃଷ୍ଟି କରିଛି।

Advertisment

ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଖମାରନୂଆଗାଁ ଗ୍ରାମର ପ୍ରକାଶ ମହାରଣା ଢେଙ୍କାନାଳ ଜିଲ୍ଲା କାଇମାଟିସ୍ଥିତ ଲୋଚାପଲ୍ଲୀରେ ପତ୍ନୀ କୁନି ମହାରଣା (୨୭)ଙ୍କ ସହ ରହୁଥିଲେ। କୁନି ଗର୍ଭବତୀ ଥିବାରୁ ୧୫ଦିନ ହେବ ପ୍ରକାଶ ଖମାରନୂଆଗାଁରେ ରହୁଥିଲେ। ଗତକାଲି ଗୁରୁଡ଼ିଝାଟିଆ ମେଡିକାଲକୁ ଆସି ଡାକ୍ତରଙ୍କ ପାଖରେ କୁନିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଆଜି ସକାଳେ କୁନିଙ୍କ ଗର୍ଭ ଯନ୍ତ୍ରଣା ଅସହ୍ୟ ହେବାରୁ ପ୍ରକାଶ ଓ ପରିବାର ଲୋକେ ଏକ ଅଟୋରେ ଚିକିତ୍ସା ନିମନ୍ତେ ଗୁରୁଡ଼ିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ମେଡିକାଲରେ ତାଲା ପଡ଼ିଥିବାରୁ ଯନ୍ତ୍ରଣାରେ ଛଟପଟ କୁନି ଅଟୋ ଭିତରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ୧୦୨ ଆମ୍ବୁଲାନ୍ସରେ ପରିବାର ଲୋକେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଡାକ୍ତର ସନ୍ତୋଷ ସାହୁ ନବଜାତ ଶିଶୁକୁ ମୃତ ଘୋଷଣା କରି କୁନିଙ୍କୁ ସ୍ତ୍ରୀ ଓ ପ୍ରସୂତୀ ୱାର୍ଡରେ ଭର୍ତ୍ତି କରିଥିଲେ। ରିପୋର୍ଟ ଲେଖାହେବା ବେଳକୁ କୁନିଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତର ମନୋରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ଅପରପକ୍ଷେ ଜନ୍ମିତ ଶିଶୁଟିର ଓଜନ ମାତ୍ର ୧କେଜି ଥିଲା। ପ୍ରସବ ସମୟର ବହୁ ପୂର୍ବରୁ ଜନ୍ମ ଗ୍ରହଣ କରିଥିବାରୁ ଓ ଜନ୍ମ ହେବା ମାତ୍ରେ ଯେଉଁଭଳି  ଚିକିତ୍ସା ସେବା ତୁରନ୍ତ ପାଇବା ଦରକାର, ତାହା ନମିଳିବାରୁ ଶିଶୁଟିର ମୃତ୍ୟୁ ଘଟିଥିଲା ବୋଲି ଡାକ୍ତର ପ୍ରକାଶ କରିଛନ୍ତି। ଏ ସଂପର୍କରେ କଟକ ସିଡିଏମ୍ଓ ଡା.ବିଭୂତି ଭୂଷଣ ନାୟକଙ୍କ ସହ ଯୋଗାଯୋଗ କରାଯିବାରୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଦର୍ଶାଇଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ନିର୍ଦେଶ ଦେଇଛନ୍ତି।