ପୁଲିସ ନିଷ୍କ୍ରିୟ, ଦୁର୍ବୃତ୍ତଙ୍କ ଉତ୍ପାତ : ବାଜିରେ ଲାଗିଛି ଇଜ୍ଜତ୍‌

ଯୁବତୀଙ୍କ ଭାଇରାଲ୍‌ ଭିଡିଓ ମାମଲା

ସାତ ମାସ ଶୋଇଥିଲେ,ସାତ ଘଣ୍ଟାରେ ପର୍ଦାଫାସ୍‌

ଭୁବନେଶ୍ୱର/ବାରିପଦା : ସାତ ମାସ ତଳେ ଘଟିଥିଲା ଘଟଣା। ଜଣେ ଯୁବତୀଙ୍କୁ ଜୋର ଜବରଦସ୍ତ ଉଲଗ୍ନ କରି ତାଙ୍କ ନଗ୍ନ ଫଟୋ ଭାଇରାଲ୍‌ କରିଥିଲେ ଦୁର୍ବୃତ୍ତ। ପୁଲିସ ଜାଣିଥିଲା, ଚୁପ୍‌ ବସିଥିଲା। ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପରେ ମାତ୍ର ସାତ ଘଣ୍ଟାରେ ମାମଲାକୁ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚାଇବାରେ ସକ୍ଷମ ହୋଇଛି ପୁଲିସ। ତନାଘନା କରି ଆଜି ବାରିପଦା ପୁଲିସ ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରିିଛି। ସେମାନେ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଅଞ୍ଚଳର ମୋତିଲାଲ ମହାତୋ, ଦୀପକ ମହାତୋ ଓ ପୁରୁଷୋତ୍ତମ ମହାତୋ। ସୁଟିଂ ବେଳେ ବ୍ୟବହାର ହୋଇଥିବା ମୋବାଇଲ୍‌ ପୁଲିସ ଜବତ କରିଛି।

ଏହି ଘଟଣାରେ ରାଜ୍ୟ ମହିଳା କମିସନ ମଧ୍ୟ ନିଜ ଆଡୁ ମକଦ୍ଦମା ରୁଜୁ କରିିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଏଡିଜିଙ୍କୁ ରିପୋର୍ଟ ତଲବ କରାଯାଇଛି। ଦୁଇ ସପ୍ତାହ ମଧ୍ୟରେ ଘଟଣାର ସବିଶେଷ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି କମିସନ। ଏପଟେ ରାଜଧାନୀରେ ଏକ ସାମାଜିକ ସଂଗଠନ ପକ୍ଷରୁ ମଧ୍ୟ ଘଟଣାର ପ୍ରତିବାଦରେ ବିକ୍ଷୋଭ କରାଯାଇଥିଲା। କେବଳ ସେତିକି ନୁହେଁ, ଆଜି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ଏହି ଭାଇରାଲ ଭିଡିଓକୁ ଫେସବୁକ୍‌, ହ୍ଵାଟସଆପ୍‌ ଓ ୟୁ ଟ୍ୟୁବରୁ ହଟାଇବାକୁ ଆଜି ଓଡ଼ିଶା ପୁଲିସ ପକ୍ଷରୁ ଚିଠି କରାଯାଇଛି। ଭିଡିଓକୁ ଆଉ ଭାଇରାଲ ନ କରିବା ଲାଗି ମଧ୍ୟ ସମସ୍ତଙ୍କୁ ଡିଜି ଶ୍ରୀ ଶର୍ମା ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଦୀର୍ଘ ସାତମାସ ପରେ ଭାଇରାଲ ହୋଇଥିବା ଛାତ୍ରୀଙ୍କ ନଗ୍ନ ଭିଡିଓ ଘଟଣା ଉପରୁ ଆଜି ପରଦା ଉଠିଛି। ଗତ ଏପ୍ରିଲ ୪ ତାରିଖରେ ଘଟିଥିବା ଏହି ଘଟଣାର ଭିଡିଓ ଭାଇରାଲ୍‌ ହୋଇଥିଲେ ହେଁ, ହାଲୁକା ଭାବେ ନେଇ ପୁଲିସ ଚୁପ୍‌ ବସିଥିଲା। ଆଜି କିନ୍ତୁ ‘ସମ୍ବାଦ’ରେ ଏ ନେଇ ଖବର ପ୍ରକାଶ ପରେ ପୁଲିସ କମିସନରଙ୍କ ଠାରୁ ଆରମ୍ଭ କରି ଡିଜିଙ୍କ ପର୍ଯ୍ୟନ୍ତ ସମସ୍ତେ ଏକାସାଙ୍ଗରେ ତତ୍ପର ହୋଇ ଉଠିଥିଲେ। ଆଜି ସକାଳେ କମିସନର ଟ୍ଵିଟ୍‌ କରି ମାମଲାଟି ମୟୂରଭଂଜର ବୋଲି ଜଣାଇଥିଲେ। ସେପଟେ ଡିଜି ଘଟଣାର ତନାଘନା ଆରମ୍ଭ କରିଥିଲେ। କେଉଁ ଜିଲ୍ଲାରେ ଏହି ଘଟଣାଟି ଘଟିଛି, ତାହା ତୁରନ୍ତ ଜଣାଇବା ପାଇଁ ସମସ୍ତ ଏସ୍‌ପି, ଡିଆଇଜି ଓ ରେଞ୍ଜ ଆଇଜିଙ୍କୁ କୁହାଯାଇଥିଲା। ସକାଳ ପ୍ରାୟ ୧୧ଟାବେଳେ ଜଣାପଡ଼ିଥିଲା ଯେ ଘଟଣାଟି ବାରିପଦା ସଦର ଥାନା ଅଧୀନସ୍ଥ ଜ୍ୟୋତିପୁରର। ପରେ ସଂପୃକ୍ତ ଯୁବତୀଙ୍କ ବାପା ଥାନାରେ ଏତଲା ଦେଇଥିଲେ ଓ ଏହାକୁ ଭିତ୍ତି କରି ପୁଲିିସ ମାମଲା ( ନମ୍ବର ୯୨/୧୭ ଦଫା ୩୯୨/୩୫୪(ବି)/ ୫୦୦/ ୬୬ ସି/୬୬ଡି/ ୬୭ ଏ/ ଆଇଟି ଆକ୍ଟ, ୧୨ ପୋକ୍ସୋ ଆକ୍ଟ/୩୪) ରୁଜୁ କରିଥିଲା। ମୟୂରଭଞ୍ଜ ଏସ୍‌ପି ଅନିରୁଦ୍ଧ ସିଂହଙ୍କ ନେତୃତ୍ୱରେ ଦୁଇଟି ଟିମ୍‌ ଗଠନ କରାଯାଇ ଚଢାଉ ଆରମ୍ଭ ହୋଇଥିଲା ଓ ପୁଲିସ ତିନିଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ପୂର୍ବରୁ ଏହା ରାଜଧାନୀର ଜୟଦେବ ବାଟିକା ଅଞ୍ଚଳରେ ଘଟିଥିବା ନେଇ କୁହାଯାଉଥିଲା।

ପୀଡିତାଙ୍କ ବାପା ଥାନାରେ ଦେଇଥିବା ଅଭିଯୋଗ ମୁତାବକ, ଘଟଣାଟି ଗତ ଏପ୍ରିଲ ମାସ ୪ ତାରିଖରେ ଘଟିଥିଲା। ପୀଡ଼ିତା ଜଣେ ନବମ ଶ୍ରେଣୀ ଛାତ୍ରୀ। ସେ ତାଙ୍କ ଜଣେ ସାଙ୍ଗଙ୍କ ସହିତ ନିକଟସ୍ଥ ଗାଁକୁ ଏକ ଭୋଜି ଖାଇବାକୁ ଯାଇଥିଲେ। ଫେରିବା ସମୟରେ ଏହି ତିନିଜଣ ତାଙ୍କୁ ପିଛା କରି ମାଡ଼ ମାରିବା ସହିତ ମୋବାଇଲ୍‌ ଫୋନ ଛଡ଼ାଇ ନେଇ ନଗ୍ନ ଚିତ୍ର ଓ ଭିଡିଓ ଉତ୍ତୋଳନ କରିଥିଲେ। ପରେ ତାକୁ ସୋସିଆଲ ମିଡିଆରେ ଛାଡି ଭାଇରାଲ କରିଥିଲେ।

ଆଜି ‘ ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ତାଙ୍କ ମନରେ ବଳ ଆସିଥିଲା। ପୁଲିସ ମଧ୍ୟ ସହଯୋଗର ହାତ ବଢ଼ାଇବାର ପ୍ରତିଶ୍ରୁତି ଦେଇଥିଲା। ଏହା ପରେ ଛାତ୍ରୀଙ୍କ ବାପା ଥାନାରେ ଏତଲା ଦେବାର କିଛି କ୍ଷଣ ମଧ୍ୟରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହେଲା ବୋଲି ଏସ୍‌ଡିପିଓ ଅଭିମନ୍ୟୁ ନାୟକ କହିଛନ୍ତି। ଆସନ୍ତାକାଲି ଛାତ୍ରୀଙ୍କ ଡାକ୍ତରୀମାଇନା କରାଯିବ। ସିଆରପିସିର ଧାରା ୧୬୧ ଅନୁଯାୟୀ ତଦନ୍ତକାରୀ ଅଫିସର ସମ୍ମୁଖ ଓ ସିଆରିପିସିର ଧାରା ୧୬୪ ଅନୁଯାୟୀ କୋର୍ଟରେ ବୟାନ ରେକର୍ଡ କରାଯିବ। ଯେଉଁ ମୋବାଇଲ୍‌ ଫୋନ୍‌ରେ ଯୁବତୀଙ୍କ ନଗ୍ନ ଫଟୋ ଓ ଭିଡିଓ ଉତ୍ତୋଳନ ହୋଇଛି ସେହି ମୋବାଇଲ୍‌ଗୁଡିକର ଫୋରେନସିକ୍‌ ଯାଞ୍ଚ ପାଇଁ ଭୁବନେଶ୍ୱର ପଠାଯିବ ବୋଲି ଏସ୍‌ଡିପିଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଏଭଳି ଜଣେ ଯୁବତୀଙ୍କର ନୁହେଁ ସୋସିଆଲ ମିଡିଆରେ ଏକାଧିକ ଯୁବତୀଙ୍କ ନଗ୍ନ ଭିଡିଓ ଭାଇରାଲ ହୋଇ ଚାଲୁଛି। କେଉଁଠି ପୁଲିସ ମାମଲା ରୁଜୁ କରି ଗିରଫ କରୁଛି ତ ଆଉ କେଉଁଠି ଘଟଣାକୁ ଅଣଦେଖା କରି ଏଡ଼ାଇ ଯାଉଛି। ସାଇବର ପୁଲିସ ତର୍ଜମା କରୁନି କି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଉନି। ପୁଲିସ ନିଷ୍କ୍ରିୟତାର ଫାଇଦା ଉଠାଇ, ଅପରାଧୀମାନେ ଏଭଳି ଅଭାବନୀୟ କାଣ୍ଡ ଭିଆଉଛନ୍ତି ଓ ମହିଳାଙ୍କ ସମ୍ମାନ ସହିତ ଖେଳ ଖେଳୁଥିବା କୁହାଯାଉଛି।

ରାଜଧାନୀ ରାସ୍ତାରେ ୩ ଯୁବତୀଙ୍କୁ ଅସଦାଚରଣ

ଭୁବନେଶ୍ୱର : ସୋସିଆଲ ମିଡିଆରେ ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜାରି ରହିଥିବା ବେଳେ ଆଜି ରାଜଧାନୀରେ ଏକ ଅଭାବନୀୟ ଘଟଣା ଘଟିଛି। ଦିନ ଦି’ପ୍ରହରରେ ଜଣେ ଯୌନପାଗଳ ଯୁବକ ଜୟଦେବବିହାର ଛକ ଉପରେ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଅସଦାଚରଣ କରିବା ସହ ସେମାନଙ୍କୁ କାମୁଡ଼ି ଚାଲିଥିଲା। ସଂପୃକ୍ତ ଯୁବକକୁ ପୁଲିସ ମାନସିକ ବିକୃତ ବୋଲି ଚିତ୍ରିତ କରି ମାମଲାକୁ ଦୁର୍ବଳ କରିବାକୁ ବସିଛି। ହେଲେ ଏହି ଘଟଣା କିନ୍ତୁ ଆଜି ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଗଣମାଧ୍ୟମରେ ଏ ଖବର ପ୍ରକାଶ ପାଇବା ପରେ କମିସନରେଟ୍‌ ପୁଲିସକୁ ଆଉ ଅପରାଧୀ ଡରୁନାହାନ୍ତି ବା ଚ୍ୟାଲେଞ୍ଜ ଦେଇ ଏଭଳି ଅଭାବନୀୟ କାଣ୍ଡ ଭିଆଉଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଏଡିଜି, ଆଇଜି ପାହ୍ୟା ଠାରୁ ଆରମ୍ଭ କରି ଏସ୍‌ପି ପାହ୍ୟା ଯାଏ ଏକାଧିକ ଆଇପିଏସ୍‌ ଅଫିସର, ବଛା ବଛା ପୁଲିସ ଅଧିକାରୀ ଥାଇ ରାଜଧାନୀରେ ଦିନ ଦିପହରେ ଅପରାଧୀ ଏଭଳି କାଣ୍ଡ ଭିଆଇବା ପାଇଁ କେମିତି ସାହସ କରୁଛନ୍ତି, ପୁଲିସ ଚାପରେ ଚପିଛି ନା ନିରବି ଯାଇଛି, ତାହାକୁ ନେଇ ଏବେ ବୁଦ୍ଧିଜୀବୀ ମହଲ ଏକାଧିକ ପ୍ରଶ୍ନ ଉଠାଉଛନ୍ତି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ମହିଳାଙ୍କ ସୁରକ୍ଷା ପ୍ରତି ବିପଦ ବଢିଥିବା କୁହାଯାଉଛି।

କେନ୍ଦୁଝରରେ ବି ଅତ୍ୟାଚାର : ମହିଳାଙ୍କୁ ଟଣାଓଟରା କଲେ, ଭିଡିଓ ଛାଡ଼ିଲେ

କେନ୍ଦୁଝର : ମୟୂରଭଞ୍ଜ ଜିଲ୍ଲାର ଜଣେ ଯୁବତୀକୁ ଉଲଗ୍ନ କରାଯିବାର ଦୃଶ୍ୟ ଭାଇରାଲ ହେବା ଘଟଣା ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ଏବେ କେନ୍ଦୁଝରର ଜଣେ ମହିଳାଙ୍କୁ କେତେକ ଯୁବକ ଉଲଗ୍ନ କରି ଭିଡିଓ ସୁଟିଂ କରିବା ଏବଂ ଏହାକୁ ସୋସିଆଲ୍‌ ମିଡିଆରେ ଭାଇରାଲ କରିବା ହଇଚଇ ସୃଷ୍ଟି କରିଛି। ରାଜ୍ୟ ପୁଲିସ ମହାନିର୍ଦେଶକ ଏହି ଘଟଣାର ତୁରନ୍ତ ତଦନ୍ତ କରି ଅପରାଧୀଙ୍କୁ ଧରିବା ଲାଗି କେନ୍ଦୁଝର ପୁଲିସକୁ ନିର୍ଦେଶ ଦେଇଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ କେନ୍ଦୁଝର ନିକଟବର୍ତ୍ତୀ କୌଣସି ଏକ ଜଙ୍ଗଲରେ ଜଣେ ମହିଳାଙ୍କୁ କେତେକ ଯୁବକ ଧମକାଇ ଉଲଗ୍ନ କରିବାର ଦୃଶ୍ୟ ରହିଛି। ଭିଡିଓରେ ଏହି ମହିଳାଙ୍କୁ କେତେକ ଯୁବକ ତାଙ୍କ ପରିଚୟ ପଚାରୁଥିବା ବେଳେ ସଂପୃକ୍ତ ମହିଳା କେନ୍ଦୁଝର କଲେଜ ରୋଡ୍‌ରେ ରହୁଥିବା ପ୍ରକାଶ କରିଛନ୍ତି। ପରେ ଯୁବକମାନଙ୍କ ଧମକରେ ଭୟଭୀତ ହୋଇ ମହିଳା ଜଣକ ତାଙ୍କ ପୋଷାକ ଖୋଲିବା ବେଳେ ଏହାର ଭିଡିଓ ରେକର୍ଡିଂ କରାଯାଉଛି। ଏମିତିକି ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରି ସଂପୃକ୍ତ ଯୁବକମାନେ ଉକ୍ତ ମହିଳାଙ୍କୁ ଟଣାଓଟରା କରୁଥିବା ଭିଡ଼ିଓରେ ରହିଛି। ମହିଳା ଜଣକ ହାତରେ ଏକ ପରିବା ବ୍ୟାଗ ଧରିଛନ୍ତି। ପରିବା କିଣି ଘରକୁ ଫେରିବା ବେଳେ ଏକାଧିକ ଯୁବକ ତାଙ୍କୁ ଅଟକାଇ ଏଭଳି ଆଚରଣ ପ୍ରଦର୍ଶନ କରିବା ସହିତ ତାଙ୍କର ଅଶ୍ଳୀଳ ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ଛାଡି ଦେଇଥିବା କୁହାଯାଉଛି।

ଏ ସଂପର୍କରେ କେନ୍ଦୁଝର ଟାଉନ ଥାନା ଆଆଇସି ଶୁଭ୍ରାଂଶୁ ମିଶ୍ରଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, ଭାଇରାଲ ଭିଡ଼ିଓ ସଂପର୍କରେ ଆମ ପାଖରେ କୌଣସି ଖବର ନାହିଁ। ଯଦି ଏଭଳି କିଛି ଘଟିଥାଏ ନିଶ୍ଚିତ ଭାବେ ତଦନ୍ତ ହେବ।

ସଦରଏସଡ଼ିପିଓ ଶ୍ରୀହର୍ଷ ମିଶ୍ର ମଧ୍ୟ ସମାନ କଥା ଦୋହରାଇଛନ୍ତି। ପ୍ରକାଶଥାଉକି, ଗତ କିଛି ଦିନ ତଳେ ତେଲକୋଇରୁ ଜଣେ ଯୁବତୀ ତାଙ୍କ ସଂପର୍କୀୟଙ୍କ ସହିତ ସାନଘାଘରା ଜଳପ୍ରପାତ ବୁଲିବାକୁ ଆସିଥିବା ବେଳେ କେତେକ ଯୁବକ ତାଙ୍କୁ ଜଙ୍ଗଲକୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣା ସେତେବେଳେ କେନ୍ଦୁଝରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ସଦର ଥାନା ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର