ପ୍ରଚାର ଯୁଗରେ ଜଣେ ନିଆରା ମଣିଷ

କରୋନା ମହାମାରୀର ଘଡ଼ିସନ୍ଧି ମୁହୂର୍ତ୍ତରେ ଅସହାୟ ଗରିବ ଲୋକଙ୍କ ସେବା କରିବାକୁ, ବିଶେଷକରି କାମବନ୍ଦ ଯୋଗୁଁ ଖାଇବାକୁ ପାଉ ନଥିବା ଲୋକଙ୍କୁ ଖାଦ୍ୟ ଦେବାକୁ ବହୁଲୋକ ବାହାରିଛନ୍ତି। ଏହା ଏକ ଅତି ଭଲ କଥା। କିନ୍ତୁ ଦେଖାଯାଉଛି, ଅନେକ ଲୋକ ଗରିବ ଅସହାୟ ଲୋକଙ୍କୁ ଖାଦ୍ୟ ପୁଡ଼ିଆଟିଏ ଦେଇ ଫଟୋ ଉଠାଇବା ସହିତ ତାହାକୁ ଖବରକାଗଜରେ ପ୍ରକାଶ କରିବାରେ ଭାରି ଆଗ୍ରହୀ। ସେବା କରିବାଠାରୁ ନିଜକୁ ସମାଜସେବୀ ବୋଲି ପ୍ରଚାର କରିବାରେ ଅନେକଙ୍କର ଅଧିକ ଇଚ୍ଛା। ମାତ୍ର ରାଜଗାଙ୍ଗପୁର ସହରରେ ଏପରି ଜଣେ ଗୃହିଣୀ ଅଛନ୍ତି, ଯିଏ କରୋନା ଲକ୍‌ଡାଉନ୍‌ର ଆରମ୍ଭ ସମୟରୁ ନିଜସ୍ବ ପାଣ୍ଠିରେ ଅନେକ ସେବା କରି ଆସୁଛନ୍ତି। କିନ୍ତୁ କଦାପି ଖବରକୁ ଆସିବାଲାଗି ଚାହି ନାହାନ୍ତି। ଏପରିକି କୌଣସି ସାଂବାଦିକ ତାଙ୍କ ସେବାକାର୍ଯ୍ୟର ଖବର ପ୍ରକାଶ କରିବାକୁ ଚାହିଲେ, ନିଜ ତରଫରୁ ତାଙ୍କ ନାଁ ବା ଫଟୋ ପ୍ରକାଶ ନକରିବାକୁ ସେ ଅନୁରୋଧ କରନ୍ତି। ସେ ଏତେ ଆନ୍ତରିକ ଭାବେ ଅନୁରୋଧ କରନ୍ତି ‌ଯେ ଆଜିଯାଏ କୌଣସି ସାଂବାଦିକ ତାହାକୁ ଭାଙ୍ଗିବାର ପ୍ରୟାସ କରି ନାହାନ୍ତି।

Times of India

ଏହି ମହିଳା ଜଣକ ପ୍ରଥମେ ରାଜଗାଙ୍ଗପୁର ସହରରେ ଅଟକି ରହିଥିବା ଅନ୍ୟ ରାଜ୍ୟର ଶ୍ରମିକମାନଙ୍କୁ ନିଜ ଖର୍ଚ୍ଚରେ ଦିନକୁ ପ୍ରାୟ ୧୨୦୦ଜଣଙ୍କ ପାଇଁ ଭୋଜନ ପ୍ରସ୍ତୁତ କରି ଷ୍ଟେସନ ଓ ବଜାର ଅଞ୍ଚଳରେ ବଣ୍ଟନ କରିଥିଲେ। ଏହି କାମ ବେଶ୍ କିଛିଦିନ ଚାଲିଥିଲା। ଅବଶ୍ୟ ବଣ୍ଟନ କାମରେ କିଛି ସ୍ବେଚ୍ଛାସେବୀ ତାଙ୍କୁ ସାହାଯ୍ୟ କରିଥିଲେ। ମହିଳାଙ୍କ ସ୍ବାମୀ ସ୍ଥାନୀୟ ଏକ ସିମେଣ୍ଟ କାରଖାନାରେ କାର୍ଯ୍ୟରତ ଥିଲେ। ନିକଟରେ ଚାକିରିରୁ ସ୍ବେଚ୍ଛାରେ ଅବସର ଗ୍ରହଣ କରିଛନ୍ତି। ଖାଦ୍ୟ ଯୋଗାଣ ସହିତ ମହିଳା ଜଣକ ୨,୫୦୦ ମାସ୍କ ମଧ୍ୟ ଗରିବ ଲୋକଙ୍କୁ ବଣ୍ଟନ କରିଛନ୍ତି। ଏତିକିରେ ତାଙ୍କ ଦାୟିତ୍ବ ସରିଲା ବୋଲି ସେ ମନେ କରି ନଥିଲେ। ଲକ୍‌ଡାଉନ୍‌ କାରଣରୁ ସମୟରେ ସହରରେ ଅଟକି ରହିଥିବା ଦିଲ୍ଲୀ ଆଖପାଖ ଅଞ୍ଚଳର ପ୍ରାୟ ୬୫ ଜଣ ଲୋକଙ୍କୁ ପ୍ରଶାସନ ସହିତ ମିଶି ସେ ନିଜ ନିଜ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲେ। ଦିଲ୍ଲୀ ପର୍ଯ୍ୟନ୍ତ ଯାଇଥିବା ଗାଡ଼ିର ଭଡ଼ା ସେ ନିଜେ ଦେଇଥିଲେ। ତାଙ୍କର ଏପରି କାର୍ଯ୍ୟକୁ ସ୍ଥାନୀୟ ପ୍ରଶାସନ ମଧ୍ୟ ପ୍ରଶଂସା କରିଛନ୍ତି। କରୋନା ଆସିବା ପୂର୍ବରୁ ମଧ୍ୟ ସେ ଆହୁରି ଅନେକ ଜନସେବା କାର୍ଯ୍ୟରେ ସଂପୃକ୍ତ ରହି ଆସିଛନ୍ତି। କିନ୍ତୁ ମହିଳାଙ୍କ ନାମ ଆଜିଯାଏ କୌଣସି ଖବରକାଗଜରେ ପ୍ରକାଶିତ ହୋଇନାହିଁ। ସେ ନିଜର ଏହି ନୀତିକୁ ଭାରି ଗୁରୁତ୍ବର ସହିତ ପାଳନ କରି ଆସୁଛନ୍ତି। ସମାଜସେବା କରି ତାକୁ ପ୍ରଚାର କରିବା ଆଦୌ ଠିକ୍‌ ନୁହେଁ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ରାଜଗାଙ୍ଗପୁରରୁ ଜିତେନ୍ଦ୍ରନାରାୟଣ ଦାସ

ସମ୍ବନ୍ଧିତ ଖବର