ଚାକିରିର ପ୍ରଲୋଭନ ଦେଖାଇ ଉତ୍ତରପ୍ରଦେଶରେ ୧୦ ବର୍ଷିୟା ପୁଅ ସହିତ ମହିଳାଙ୍କୁ ବନ୍ଧକ, ଥାନାରେ ଏତଲା ପରେ ବି ଶୁଣୁନି ପୁଲିସ

ସମ୍ବଲପୁର : ଚାକିରିର ପ୍ରଲୋଭନ ଦେଖାଇ ସମ୍ବଲପୁର ସହର ପିଡବ୍ଲୁଡି କଲୋନିର ୧୦ ବର୍ଷିୟ ପୁଅ ସହିତ ଜଣେ ୩୦ ବର୍ଷିୟା ମହିଳାଙ୍କୁ ଉତ୍ତରପ୍ରଦେଶର ମୁରାଦାବାଦରେ ଜଣେ ବ୍ୟକ୍ତି ବନ୍ଦୀ କରି ରଖିଥିବା ନେଇ ତାଙ୍କ ସ୍ବାମୀ ଗୁରୁତର ଅଭିଯୋଗ କରିଛନ୍ତି। ଏଥିପଛରେ ଜଣେ ଫେରି ବ୍ୟବସାୟୀଙ୍କ ହାତ ଥିବା ସେ କହୁଛନ୍ତି। ମହିଳାଙ୍କ ନିଖୋଜ ଖବର ନେଇ ମାସେରୁ ଉର୍ଧ୍ବ ସମୟ ହେଲା ଏବଂ ଏକ ସପ୍ତାହ ହେଲା ସେ ଉତ୍ତରପ୍ରଦେଶରେ ବନ୍ଧକ ଥିବା ନେଇ ଧନୁପାଲି ଥାନାରେ ଏତଲା ଦେଇଥିଲେ ମଧ୍ୟ କୌଣସି ଲାଭ ହୋଇ ନାହିଁ। ବରଂ କେତେବେଳେ କୋଭିଡ ଆଳ ତ କେତେବେଳେ କାର୍ଯ୍ୟ ବ୍ୟସ୍ତତା କଥା କହି ସେହି ବ୍ୟକ୍ତିଙ୍କୁ ପୁଲିସ ଥାନାରୁ ତଡ଼ି ଦେଉଥିବା କହିଛନ୍ତି।

ଧନୁପାଲି ଥାନା ଅନ୍ତର୍ଗତ ପିଡବ୍ଲୁଡି କଲୋନି ନାଗେନଚୋଟିର ସୁଶୀଲ ବଲବାହାଦୁରଙ୍କ ଅନୁସାରେ, ସ୍ତ୍ରୀ ଅନୁପମା ଏବଂ ୧୦, ୭, ୫ ବର୍ଷିୟ ୩ ଶିଶୁ ପୁତ୍ରକୁ ନେଇ ତାଙ୍କ ପରିବାର। ସୁଶୀଲ ଅଟୋରିକ୍ସା ଚାଳକ ଏବଂ ଅନୁପମା ଅନ୍ୟ ଘରେ କାର୍ଯ୍ୟ କରନ୍ତି। ଏକ ମାସ ପୂର୍ବରୁ ସ୍ତ୍ରୀ ଅନୁପମା ତାଙ୍କ ୧୦ ବର୍ଷିୟ ପୁଅ ସହିତ ରହସ୍ୟଜନକ ଭାବରେ ନିଖୋଜ ହୋଇଯାଇଥିଲେ। ଏଥିସଂକ୍ରାନ୍ତରେ ସୁଶୀଲ ଧନୁପାଲି ଥାନାରେ ନିଖୋଜ ଏତଲା ଦେଇଥିଲେ। ଗୋଟିଏ ଦିନ ପରେ ଅନୁପମା ସୁଶୀଲଙ୍କୁ ଫୋନରେ ଜଣାଇଥିଲେ ଯେ ସେ ସମ୍ବଲପୁରରେ ଅଛନ୍ତି। ତାଙ୍କୁ ନଖୋଜିବା ପାଇଁ ଅନୁରୋଧ କରିଥିଲେ। ଏହା ସତ୍ତ୍ବେ ସ୍ତ୍ରୀ ଏଭଳି ଘରୁ ଚାଲିଯିବା ସୁଶୀଲ ଗ୍ରହଣ କରିପାରିନଥିଲେ। ସ୍ତ୍ରୀ ସହିତ ଆପୋସ ଆଲୋଚନା ଏବଂ ପୁଅକୁ ଫେରି ଆଣିବା ପାଇଁ ଅନୁପମାଙ୍କୁ ଖୋଜି ଆଣିବା କିମ୍ବା ସେ କେଉଁଠି ଅଛନ୍ତି ତାଙ୍କ ସ୍ଥାନ ଚିହ୍ନଟ ପାଇଁ ସୁଶୀଲ ଧନୁପାଲି ଥାନା ପୁଲିସକୁ ଅନୁରୋଧ କରିଥିଲେ। ମାତ୍ର ପୁଲିସ ଏହାକୁ ଗୁରୁତ୍ବ ଦେଲେ ନାହିଁ।

ସ୍ତ୍ରୀ ଘର ଛାଡ଼ିବାର ପ୍ରାୟ ୨୫ ଦିନ ପରେ ଏକ ନମ୍ବରରୁ ସୁଶୀଲଙ୍କୁ ଫୋନ କରିଥିଲେ, ସେ ଯାହା କହିଥିଲେ ସୁଶୀଲ ତାଜୁବ ହୋଇଯାଇଥିଲେ। ଅନୁପମା କାମ କରୁଥିବା ଫେରି ବ୍ୟବସାୟୀ ଅଧିକ ଦରମାରେ କାମର ପ୍ରଲୋଭନ ଦେଖାଇ ଉତ୍ତରପ୍ରଦେଶର ମୁରାଦାବାଦର ସମ୍ବଲ ନାମକ ଏକ ଗାଁରେ ଜବରଦସ୍ତି ଅନୁପମାଙ୍କୁ ବନ୍ଧକ ରଖିଛନ୍ତି। ବିଭିନ୍ନ ସମୟରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଛନ୍ତି। ସେ ଘରକୁ ଯିବା ପାଇଁ ଚାହୁଁଥିଲେ ମଧ୍ୟ ତାକୁ ଛାଡ଼ି ଦେଉ ନାହାନ୍ତି। ସ୍ତ୍ରୀକୁ ଉଦ୍ଧାର ପାଇଁ ପୁଲିସକୁ ଅନୁରୋଧ କରିଛନ୍ତି। ଏପରିକି ଫୋନରେ ସ୍ତ୍ରୀ ସହିତ ପୁଲିସକୁ କଥା ମଧ୍ୟ ଲଗାଇଛନ୍ତି। ଏହା ସତ୍ତ୍ବେ କୌଣସି ଲାଭ ହେଉନାହିଁ। ଏଣେ ତାଙ୍କ ଅନ୍ୟ ୨ ଶିଶୁ ପୁଅ ମା ବିନା ଅସହାୟ ହୋଇପଡ଼ିଛନ୍ତି। ସୁଶୀଲ କହନ୍ତି, ବର୍ତ୍ତମାନ ତାଙ୍କ ସ୍ତ୍ରୀ, ପୁଅ ବିପଦରେ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର