ମାଲକାନଗିରି: ମାଲକାନଗିରି ଜିଲ୍ଲାର ସବୁଠାରୁ ଦୁର୍ଗମ ତଥା ଅପହଞ୍ଚ ଅଂଚଳ ମଧ୍ୟରେ ରହିଛି ଖଇରପୁଟ ବ୍ଲକର ବଣ୍ଡାଘାଟିର ୩୨ଗାଁ। ବଣ୍ଡାଘାଟିକୁ ଯାତାୟାତ କରିବାର ସେଭଳି କୌଣସି ମାଧ୍ୟମ ନଥିବାରୁ ବର୍ଷ ବର୍ଷ ଧରି ଏହି ଅଂଚଳର ଲୋକେ ପାଦରେ ଚାଲି ଚାଲି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରନ୍ତି।ବର୍ତ୍ତମାନ ବଣ୍ଡାଘାଟିକୁ ରାସ୍ତା ହୋଇଥିଲେ ମଧ୍ୟ କାଁ ଭାଁ ଗାଡି ଚାଲେ। କିନ୍ତୁ ଗାଡିରେ ଯିବାକୁ ପାଖରେ ସମ୍ବଳ ନଥିବାରୁ ସବୁ କାର୍ଯ୍ୟ ପାଇଁ କେବଳ ପାଦରେ ଚାଲିବା ହିଁ ବଣ୍ଡା ମହିଳା ଓ ପୁରୁଷଙ୍କ ପାଇଁ ନିତିଦିନିଆ ହୋଇଯାଇଛି। ଜଣେ ବଣ୍ଡା ମହିଳା ପିଲାକୁ କାଖରେ ଧରି ଖରାରେ ଶିଝି ହାଟ ସୌଦା ପାଇଁ ୧୫ କିମି ବାଟ ଚାଲିବାର ଦୃଶ୍ୟ ଶନିବାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବଣ୍ଡା ସମ୍ପ୍ରଦାୟର ଏକ ସ୍ବତନ୍ତ୍ରତା ରହିଛି। ପୁରୁଷମାନେ ଯାହା କିଛି ଜଙ୍ଗଲରୁ ସଂଗ୍ରହ କରନ୍ତି ମହିଳାମାନେ ତାକୁ ହାଟରେ ବିକ୍ରି କରନ୍ତି। କିନ୍ତୁ ଶନିବାର ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା ହାଟ ରାସ୍ତାରେ। ବଣ୍ଡା ଘାଟିର ରାମଗୁଡା ଅଞ୍ଚଳରୁ କୁଡୁମୁଲୁଗୁମ୍ମା ହାଟ ପ୍ରାୟ ୧୫ କିମି। ଶନିବାର ପ୍ରରବଳ ଖରା। ପାରଦ ପ୍ରାୟ ୪୫ ଡିଗ୍ରୀ ହେବ। ରାମଗୁଡା ଅଞ୍ଚଳର ଜଣେ ବଣ୍ଡା ରମଣୀ ମୁଣ୍ଡରେ ଏକ ମାଟି ହାଣ୍ଡିରେ ତାଙ୍କ ସଂଗୃହୀତ ଜଙ୍ଗଲଜାତ ଜିନିଷ ସହ ନିଜ ୮ ମାସର ଛୁଆକୁ କାଖରେ ଧରିଛନ୍ତି। ତାକୁ କ୍ଷୀର ପାନ କରି ଖରାରେ ଶିଝି ଚାଲିଛନ୍ତି। ବହୁ ବାଟ ଯିବା ଏବଂ ଅନେକ କାମ କରିବାକୁ ଥିବାରୁ କାହା ସହିତ ସେ କଥା ନ ହୋଇ ଅନବରତ ଚାଲିଛନ୍ତି। ଏଭଳି ଦୃଶ୍ୟ ପଥଚାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ହେଲେ ସେମାନଙ୍କ ପାଇଁ ଏହା କିଛି ଫରକ ପଡୁନି। ଯେମିତି ଏହା ସେମାନଙ୍କ ପାଇଁ ଦେହ ସୁହା। ବଣ୍ଡା ସମ୍ପ୍ରଦାୟରେ ମହିଳାଙ୍କ ପ୍ରାଧାନ୍ୟ ବେଶୀ ରହୁଥିବାରୁ କେବଳ ସେମାନେ ହିଁ ଘରର ସବୁ କିଛି କରନ୍ତି। ବଣ୍ଡା ଅଞ୍ଚଳର ପ୍ରତ୍ୟେକ ମହିଳା ଜଂଗଲରୁ ଯାହା ସେ ସଂଗ୍ରହ କରନ୍ତି ତାକୁ ହାଟରେ ବିକ୍ରି କରି ନିଜର ଅତ୍ୟାବଶକ ଜିନିଷ ଖରିଦ କରି ପୁଣି ସଂଧ୍ୟା ହେବା ପୂର୍ବରୁ ଘରକୁ ଫେରନ୍ତି।
କୁଡୁମୁଲୁଗୁମ୍ମା, ଖଇରପୁଟ, ଗୋବିନ୍ଦପାଲ୍ଲୀ, ମୁଣ୍ଡାଗୁଡା, ଅନକାଡେଲି, ମାଛକୁଣ୍ଡରେ ସାପ୍ତାହିକ ହାଟ ବସେ। ମହିଳାମାନେ ହିଁ ହାଟ ବଜାର କରି ପରିବାରର ପ୍ରତିପୋଷଣ କରିଥାନ୍ତି।ଜଂଗଲରୁ ଯାହା ସଂଗ୍ରହ କରନ୍ତି ତାକୁ ବଜାରରେ ବିକ୍ରି କରନ୍ତି ନଚେତ ତାକୁ ଅଦଳବଦଳ ପ୍ରକ୍ରିୟାରେ ଜିନିଷ ଦେଇ ଜିନିଷ ନେଇଥାନ୍ତି। ସାପ୍ତାହିକ ହାଟରେ ଏହା ସମ୍ଭବ ହେଉଥିବାରୁ ପ୍ରତି ସାପ୍ତାହିକ ହାଟକୁ ସେମାନେ ଆସନ୍ତି।
ସମ୍ପୃକ୍ତ ବଣ୍ଡା ମହିଳା ଜଣକ ଓଡିଆରେ ଭଲ ଭାବରେ କଥା ହୋଇପାରୁନଥବାରୁ ନିଜ ନାମକୁ କହିପାରିନଥିଲେ। ପାଖରେ ଟଂକା ନଥିବାରୁ ଖାଲି ସେ ନୁହନ୍ତି ଅନେକ ବଣ୍ଡା ମହିଳା ଏଭଳି ବାଧ୍ୟ ହୋଇ ଚାଲି ଚାଲି ଯାଉଥିବା ସ୍ଥାନୀୟ ଲୋକେ କହିଥିଲେ। ଅନ୍ୟପକ୍ଷରେ ବଣ୍ଡା ସଂପ୍ରଦାୟର ଲୋକେ ଦାରିଦ୍ର୍ୟର ସୀମା ରେଖା ତଳେ ଥିବା ଏଥିରୁ ସ୍ପଷ୍ଟ ହେଉଥିଲେ ବି ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ସେମାନେ ରହିଯାଇଛନ୍ତି। ଏମାନଙ୍କ ପାଇଁ ରାଜ୍ୟ ସରକାର କୋଟି କୋଟି ଟଂକା ଖର୍ଚ୍ଚ କରୁଥିଲେ ମଧ୍ୟ ସେହି ଟଂକା କୁଆଡେ ଯାଉଛି ତାହାକୁ ନେଇ ନାନା ପ୍ରଶ୍ନ ଉଠେ। କିନ୍ତୁ ସମସ୍ତେ ଏମାନଙ୍କ ନିକଟରେ ଦରଦ ଏବଂ ସହାନୁଭୁତି ଦେଖାଇଥାନ୍ତି। ପରମୁହୂର୍ତ୍ତରେ ସବୁ ପାଣିର ଗାର ସଦୃଶ୍ୟ ହୋଇଯାଏ। ଏମାନେ କେବେ ଆଧୁନିକ ସଭ୍ୟତା ସହ ଖାପଖୁଆଇ ଚଳିବେ ଏବଂ ଆଉ କେବେ ନିଜର ସ୍ଥିତି ସୁଧାରିବେ ତାହା କେହି ଜାଣିନାହାନ୍ତି। ଦିନକୁ ଦିନ ଏମାନଙ୍କର ଉନ୍ନତି ହେବା ବଦଳରେ ଅବନତି ହୋଇଚାଲିଛି। ଯାହାକୁ ନେଇ ଅନୁଧ୍ୟାନ କରିବାର ସମୟ ଆସିଛି। ରାଜ୍ୟ ସରାକର ତୁରନ୍ତ ଏମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମନେ ମତ ଦେଇଛନ୍ତି।