ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ସୋଏମ୍ବା ପଞ୍ଚାୟତ ବଡବାଲିଜୋର ଗାଁରେ ବିସ୍ଫୋରଣରେ ନିର୍ମଳା ସିଂହ ନାମ୍ନୀ ମହିଳା ଗୁରୁତର ହୋଇଛନ୍ତି। ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲାବେଳେ ତାଙ୍କ ଡାହାଣ ଗୋଡର ପାଦରେ ଗଭୀର ଆଘାତ ଲାଗିଛି। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଜଗଦାସ୍ଥ ମିସନ ହସ୍ପିଟାଲ ଓ ପରେ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ଭର୍ତ୍ତି କରାଯାଇଛି। ଗୁରୁତର ମହିଳାଙ୍କ ସ୍ବାମୀ ଅଜିତ ସିଂହ ଘଟଣା ସମ୍ପର୍କରେ କେ. ବଲାଙ୍ଗ ଥାନାକୁ ସୂଚନା ଦେଇଥିଲେ। ପୁଲିସ ସେମାନଙ୍କୁ ଡାକ୍ତରଖାନା ଯିବା ପାଇଁ କହି ନିଜର କାମ ସାରିଦେଇଥିଲେ। ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ହେଁ ପୁଲିସ ଏଯାଏଁ ଡାକ୍ତରଖାନାରେ ପହଞ୍ଚି ନଥିବା ଅଜିତ ଅଭିଯୋଗ କରିଛନ୍ତି। ଆଜି ଅଜିତ ‘ସମ୍ବାଦ’କୁ ଜଣାଇବା ପରେ ଘଟଣା ସାମ୍ନାକୁ ଆସିଛି। ନକ୍ସଲଙ୍କ ସମ୍ପୃ୍କ୍ତି ରହିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ମୁତାବକ କୋଇଡା ବ୍ଲକ ରକ୍ସିରୁ ପ୍ରାୟ ୧୫ କି.ମି. ଦୂର ବଡବାଲିଜୋରରେ ଅଜିତ ସିଂହ, ପତ୍ନୀ ନିର୍ମଳା ପରିବାର ସହ ରହନ୍ତି। ଗତ ପ୍ରାୟ ୩/୪ ଦିନ ତଳେ ଅଜିତ କାମ କରିବାକୁ ରକ୍ସି ସାଇଡିଂକୁ ଯାଇଥିଲେ। ତାଙ୍କ ପତ୍ନୀ ନିର୍ମଳା ଘରଠୁ କିଛି ଦୂରରେ ମାଟି ଇଟା ଗଢ଼ୁଥିଲେ। ହଠାତ୍ ଘାସ ବୁଦାରେ ତାଙ୍କ ଗୋଡ଼ ପଡ଼ିଯିବାରୁ ବିସ୍ଫୋରଣ ହୋଇଥିଲା। ନିର୍ମଳାଙ୍କ ଗୋଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ସ୍ବାମୀ ଅଜିତ ଓ ପଡୋଶୀ ଘଟଣା ସମ୍ପର୍କରେ କେ. ବଲାଙ୍ଗ ଥାନାକୁ ସୂଚନା ଦେବା ପରେ ନିର୍ମଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବାର୍ହା ଶିକାର କରିବାକୁ କେହି ଜଣେ ଖାଦ୍ୟରେ ବୋମା ମିଶାଇ ଘାସ ବୁଦାମୂଳରେ ରଖିଥିବା ସ୍ଥାନୀୟ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp