ଭଞ୍ଜନଗର/ବ୍ୟାସନଗର: ମହାଶିବରାତ୍ରି ଅବସରରେ ଦୀପ ନିଆଁ ଲାଗି ରାଜ୍ୟର ଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ଗଂଜାମ ଓ ଯାଜପୁରରେ ଦୀପ ନିଆଁ ଲାଗି ୨ ଜଣ ମହିଳା ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧୀନ ବଡ଼ଦୋଡ଼ଙ୍ଗା ଗ୍ରାମରେ ଆଜି ଦୀପନିଆଁରେ ପୋଡ଼ି ହୋଇ ରୀତା ପରିଡ଼ା (୩୮) ନାମକ ଜଣେ ମହିଳା ଗୁରୁତର ହୋଇଛନ୍ତି। ଜିତୁକୃଷ୍ଣ ପରିଡ଼ାଙ୍କ ପତ୍ନୀ ରୀତା ଆଜି ସକାଳେ ଗ୍ରାମର ଶିବମନ୍ଦିରକୁ ଜାଗର ପୂଜା ପାଇଁ ଯାଇଥିଲେ। ଏହି ସମୟରେ ଅସାବଧାନତାବଶତଃ ତାଙ୍କ ଶାଢ଼ି ଏକ ଦୀପର ନିଆଁ ସଂସ୍ପର୍ଶରେ ଆସିଯାଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ସେହପିର ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରର ପ୍ରିୟଦର୍ଶିନୀ ରୋଡରେ ଥିବା ଶିବ ମନ୍ଦିରରେ ଦୀପ ନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳା ପ୍ରିୟଦର୍ଶିନୀ ରୋଡର ଅଶୋକ ଖିଲାରଙ୍କ ପତ୍ନୀ ପ୍ରଭାସିନୀ ଖିଲାର(୫୯)। ଆତି ରାତି ପ୍ରାୟ ୭ଟା ବେଳେ ପ୍ରଭାସିନୀ ପ୍ରିୟଦର୍ଶିନୀ ରୋଡରେ ଥିବା କପିଳେଶ୍ବର ମନ୍ଦିରରେ ଜାଗର ଯାତ୍ରା ପାଇଁ ଦୀପ ଜାଳୁଥିଲେ। ଅସାବଧାନତାରୁ ତାଙ୍କ ଲୁଗାରେ ନିଆଁ ଲାଗି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ପ୍ରଭାସିନୀଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। କଟକ ସ୍ଥାନାନ୍ତର ବେଳେ ଆମ୍ବୁଲାନ୍ସରେ ପଙ୍ଖା କିମ୍ବା ଏୟାର କଣ୍ଡିସନ ନଥିବାରୁ ଡାକ୍ତରଖାନା ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ. ସନ୍ତୋଷ କୁମାର ପୃଷ୍ଟିଙ୍କୁ ପଚାରିବାରୁ ୪ ମାସ ହେଲା ଏହି ବ୍ୟବସ୍ଥା ଅଚଳ ହୋଇପଡ଼ିଛି ବୋଲି ସ୍ବୀକାର କରିଥିଲେ।