ମହାପ୍ରଭୁଙ୍କ ଦର୍ଶନକୁ ନେଇ ଚର୍ଚ୍ଚା: କାଳିସୀ ସାଜି ଜଗା ଦର୍ଶନ ପାଇଁ ଅଡ଼ିବସିଲେ ମହିଳା

ପୁରୀ : ‘ମୁଁ ଟିକେ ଜଗା ପାଦ ଛୁଇଁବି, ତୁମ ହାତ ଧରି ନେହୁରା ହେଉଛି, ମୋତେ ଜଗା ପାଖକୁ ଛାଡ଼ି ଦିଅ। ମୁଁ ଜଗା ଦର୍ଶନ କରିବି। ‌ମୋତେ ୧୫ ଦିନ ହେଲାଣି ଜଗା ଶୁଆଇ ଦେଉନି। ଦର୍ଶନ ପାଇଁ ଜଗାର ଆଦେଶ ଆସିଛି।’ ସୋମବାର କାଳିସୀ ସାଜି ଜଣେ ମହିଳା ସିଂହଦ୍ବାରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏଭଳି ଅଡ଼ି ବସିବା ଚର୍ଚ୍ଚାର ବିଷୟ ପାଲଟିଛି।

କେନ୍ଦ୍ରାପଡ଼ା ଜିଲ୍ଲା ହରିଅଙ୍କ ଗାଁର ଜଣେ ମହିଳା ସୋମବାର ସକାଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ। ବେକରେ ରୁଦ୍ରାକ୍ଷ ମାଳ, ମୁଣ୍ଡରେ ଚନ୍ଦନ ତିଳକ ସାଙ୍ଗକୁ ବେଶଭୂଷା ବି ଭିନ୍ନ ଥିଲା। ଦୋଳମଣ୍ଡପ ସାହି ମୁଣ୍ଡରୁ ପତିତପାବନଙ୍କୁ ଦର୍ଶନ ବେଳେ ହଠାତ୍‌ ଏହି ମହିଳା ଜଣକ ନାଚିବାକୁ ଆରମ୍ଭ କରିଥିଲେ। ତାଣ୍ଡବ ନୃତ୍ୟ କରିଥିଲେ। ଏହା ଦେଖି ଉପସ୍ଥିତ ମହିଳାମାନେ ହୁଳହୁଳି ପକାଇବା ଆରମ୍ଭ କରି ଦେଇଥିଲେ। କିଛିକ୍ଷଣ ମଧ୍ୟରେ ଖଣ୍ଡମଣ୍ଡଳ ହୁଳହୁଳିରେ କମ୍ପିଥିଲା। ଏହି ସମୟରେ ମହିଳା ଜଣକ କାଳିସୀ ବେଶରେ ନୃତ୍ୟ କରି ଜୋର ଜବରଦସ୍ତ ଦୋଳମଣ୍ଡପ ସାହି ସମ୍ମୁଖ ବାରିକେଡ୍‌ ଦେଇ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଦୌଡ଼ି ପଳାଇଥିଲେ। ଉପସ୍ଥିତ ପୁଲିସମାନେ ଅଟକାଇବାକୁ ଚେଷ୍ଟା କରିଥିଲେ ବି ମହିଳାଙ୍କ ଏଭଳି ତାଣ୍ଡବ ନୃତ୍ୟ, ନାଲିଆଖି ଦେଇ ଭୟଭୀତ ହୋଇଯାଇଥିଲେ।

ପରେ ଜଣେ ସେବାୟତ ଏହି ମହିଳାଙ୍କୁ ଅରୁଣ ସ୍ତମ୍ଭ ନିକଟରୁ ଧରି ବାହାରେ ଛାଡ଼ିଥିଲେ। ତଥାପି ମହିଳା ଜଣକ ଦର୍ଶନ ପାଇଁ ଜିଦ୍‌ ଧରିଥିଲେ। ତୁମେ କିଏ ବୋଲି ପ୍ରଶ୍ନ କରିବାରୁ ମହିଳା ଜଣକ ଚିହିଁକି ଉଠି କହିଥିଲେ କି ମୋତେ ଚିହ୍ନିନୁ, ମୁଁ ହେଉଛି ମା’। ଜଗା ମୋତେ ସ୍ବପ୍ନାଦେଶ କରିଛନ୍ତି। ଦୁଇଦିନ ହେଲା ଦର୍ଶନ ପାଇଁ ଖାଇନି। ଜଗା ପାଦ ଛୁଇଁଦେଲେ, ସବୁ ଚିନ୍ତାରୁ ମୁକ୍ତ ହୋଇଯିବି। ଏହି ହୋ-ହଲ୍ଲା ଭିତରେ କିଛି ସେବକ ମହାପ୍ରଭୁଙ୍କ ଲାଗି ତୁଳସୀ ଓ ପ୍ରସାଦ ଦେବା ପରେ ମହିଳା ଜଣକ ଶାନ୍ତ ପଡ଼ିଥିଲେ।

ସମ୍ବନ୍ଧିତ ଖବର