ସତ୍ୟଭାମାଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା : କୁଟୀର ଶିଳ୍ପ ଖୋଲି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଗାଁର ୨୦ରୁ ଅଧିକ ପରିବାରକୁ ଦେଇଛନ୍ତି ରୋଜଗାର

ହାଟଡିହି : ସତ୍ୟଭାମାଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା। ପୋଲିଓ ଯୋଗୁଁ ଜୀବନରେ ସେ କେବେ ଚାଲି ନାହାନ୍ତି। ସଂପୂର୍ଣ୍ଣ ଚଳତ୍‌ଶକ୍ତିହୀନ। ଯେଉଁଠିକୁ ଯାଆନ୍ତି ଗୁରୁଣ୍ଡି ଗୁରୁଣ୍ଡି। ଏହାସତ୍ତ୍ବେ ସେ ନିଜ କାମ ନିଜେ କରୁଛନ୍ତି। ଆଉ ସବୁଠାରୁ ବଡ଼କଥା ହେଲା ୨୦ରୁ ଊର୍ଦ୍ଧ୍ବ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିପାରିଛନ୍ତି। ସାରା ଅଞ୍ଚଳ ପାଇଁ ସେ ପାଲଟିଛନ୍ତି ଆଲୋକବର୍ତ୍ତିକା।

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମୁଗୁପୁର ଗ୍ରାମରେ ସତ୍ୟଭାମା ସାହୁ। ଏବେ ତାଙ୍କୁ ୬୪ ବର୍ଷ ବୟସ। ଛୋଟ ବୟସରୁ ବାପାମା’ଙ୍କୁ ହରାଇବା ତଥା ଚାଲିପାରୁ ନଥିବାରୁ ସ୍କୁଲ ଯାଇପାରିନଥିଲେ। ସତ୍ୟଭାମା ପ୍ରଥମେ ଟେଲରିଂ କାମ କରିବା ସହ ଅନ୍ୟମାନଙ୍କୁ ଶିକ୍ଷା ଦେଉଥିଲେ। ପରେ ଧୂପକାଠି, ହଳଦିଗୁଣ୍ଡ, ଝୋଟ ପଟି, ପେପର ମ୍ୟାଚିଂ ପରି ସାମଗ୍ରୀ ତିଆରି କରି ନିଜେ ଆତ୍ମନିର୍ଭରଶୀଳ ହେବାସହ ଗାଁର ୨୦ରୁ ଅଧିକ ପରିବାରକୁ ରୋଜଗାର ଦେଇପାରିଛନ୍ତି। ତାଙ୍କଦ୍ବାରା ପ୍ରସ୍ତୁତ ଧୂପ ଏବେ ସାରା ରାଜ୍ୟରେ ଆଦୃତ ହୋଇପାରିଛି। ଓର୍‌ମାସ ସହଯୋଗରେ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଯାଇ ସେ ନିଜ ପ୍ରସ୍ତୁତ ସାମଗ୍ରୀକୁ ବିକ୍ରି କରୁଛନ୍ତି। କଟକ ବାଲିଯାତ୍ରା, ପୁରୀ, ରାଉରକେଲା, ଅନୁଗୁଳ, ଜଗତସିଂହପୁର ଆଦି ଅଞ୍ଚଳରେ ତାଙ୍କ ସାମଗ୍ରୀ ବିକ୍ରି କରିଥାନ୍ତି।

ସ୍ଥାନୀୟ ମୁଗୁପୁର ଆଶ୍ରମ ଭିତରେ ସେ ନିଜର କୁଟୀର ଶିଳ୍ପ ଖୋଲି ଗାଁର ମାଳତୀ ସାହୁ, ବସନ୍ତ ସାହୁ, ରମାମଣି ସାହୁ, କାଞ୍ଚନ ସାହୁ, ପୁଷ୍ପାଞ୍ଜଳି ସାହୁ, ଝୁମୁରୀ ଦାସ, ଚଞ୍ଚଳା ସାହୁ, ପାକ ସାହୁଙ୍କ ଭଳି ୨୦ରୁ ଅଧିକ ମହିଳାଙ୍କୁ ସେ ରୋଜଗାର ଦେଇଛନ୍ତି। କତଛିବର୍ଷ ତଳେ ଧୂପ ମେସିନ ଓ ହଳଦୀ ଗୁଣ୍ଡ ପାଇଁ ମେସିନ କିଣି ଆଣି ରଖିଥିଲେ ବି ଆବଶ୍ୟକ ବିଦ୍ୟୁତ୍‌ ସଂଯୋଗ ଅଭାବରୁ ତାହା ଚଲାଇ ପାରୁ ନାହାନ୍ତି। ତାଙ୍କ ଦୃଢ଼ ମନୋବଳ ଯୋଗୁଁ ସେ ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଯଦି ସରକାରୀ ସହାୟତା ମିଳିପାରନ୍ତା ସେ ତାଙ୍କର କୁଟୀର ଶିଳ୍ପକୁ ଆଗେଇ ନେଇ ଅଧିକରୁ ଅଧିକ ଲୋକଙ୍କୁ ଆତ୍ମନିର୍ଭରଶୀଳ କରିପାରନ୍ତେ ବୋଲି ସତ୍ୟଭାମା କହିଛନ୍ତି।

ସମ୍ବନ୍ଧିତ ଖବର