କେନ୍ଦୁଝର : ଥରେ କି ଦି’ଥର ନୁହେଁ। ବହୁବାର ଆବାସ ଖଣ୍ଡିଏ ପାଇଁ ସରପଞ୍ଚଙ୍କୁ ଗୁହାରି କରିଥିଲେ। କେବଳ ଯେ ସରପଞ୍ଚଙ୍କ ପାଖରେ ଗୁହାରି କରିଥିଲେ ତାହା ନୁହେଁ, ବ୍ଲକ୍ ପ୍ରଶାସନ ପାଖରେ ଦରଖାସ୍ତ କରିଥିଲେ। ମାତ୍ର କିଛି ସୁଫଳ ମିଳିଲା ନାହିଁ। ପାଞ୍ଚ ବର୍ଷ ବିତିଗଲା ସିନା ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ମିଳି ପାରିଲା ନାହିଁ। ଖାସ୍‌ ଏଇଥିପାଇଁ ଜିଦ୍‌ରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ଜଣେ ମହିଳା। ସେ ହେଉଛନ୍ତି କେନ୍ଦୁଝର ସଦର ବ୍ଲକ୍‌ ପଦ୍ମପୁର ପଞ୍ଚାୟତର ଦେବଶ୍ରୀ ନାଏକ। ଏଭଳି ଏକ ଅଦ୍ଭୁତ ଝୁଙ୍କ୍‌ରେ ଏବେ ସରପଞ୍ଚ ପ୍ରାର୍ଥୀ ହେବା ଘଟଣା ବିଭିନ୍ନ ମହଲରେ ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଛି।

Advertisment

କେନ୍ଦୁଝର ସଦର ବ୍ଲକ୍‌ ପଦ୍ମପୁର ଗ୍ରାମରେ ରୁହନ୍ତି ଦେବଶ୍ରୀ ନାଏକ। ସ୍ୱାମୀ ରମାକାନ୍ତ ପାତ୍ର, ଶ୍ୱଶୁର ଈଶ୍ୱରୀ ପାତ୍ର, ଶାଶୁ ଯାତ୍ରୀ ପାତ୍ରଙ୍କ ସମେତ ଦୁଇ ଝିଅଙ୍କକୁ ନେଇ ପରିବାର। ସ୍ୱାମୀ ଗାଁ ଛକରେ ଅଟୋ ଚଳାନ୍ତି। ସେଥିରୁ ଯାହା ରୋଜଗାର ହୁଏ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼େ। ସେଥିରେ ପୁଣି ମୁଣ୍ଡ ଗୁଞ୍ଜିବାକୁ ଘର‌ଟିଏ ତୋଳିବା ତାଙ୍କ ପକ୍ଷେ ଆଦୌ ସମ୍ଭବ ହୋଇନାହିଁ।

ଦେବଶ୍ରୀଙ୍କ ଶ୍ୱଶୁର ଈଶ୍ୱରୀ ପାତ୍ର ସାଇକଲ ଦୋକାନରେ ଶ୍ରମିକ ଭାବେ କାମ କରନ୍ତି। ସେ ବର୍ଷ ବର୍ଷ ଧରି ସରପଞ୍ଚ ଏବଂ ବ୍ଲକ୍‌ ପ୍ରଶାସନକୁ ଗୁହାରି କରି ସରକାରୀ ଯୋଜନାରେ ଘରଟିଏ ପାଇ ପାରିଲେ ନାହିଁ। ଦେବଶ୍ରୀ ନିଜ ସ୍ବାମୀଙ୍କ ସହିତ ସରପଞ୍ଚଙ୍କ ପାଖକୁ ଦୌଡ଼ିଦୌଡ଼ି ଘରଟିଏ ପାଇଁ ଯେତେ ନେହୁରା ହେଲେ ମଧ୍ୟ ଘରଟିଏ ମଳିଲା ନାହିଁ। ଏଥିପାଇଁ ‌ ବ୍ଲକ୍‌ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ସମେତ ସମସ୍ତ ଗଣମାଧ୍ୟମର ସହଯୋଗ ଲୋଡ଼ିଥିଲେ। ଏ ସମ୍ପର୍କରେ ‘ସମ୍ବାଦ’ରେ ୨୦୨୦ ମସିହା ଜୁନ୍‌ ୨୬ ତାରିଖରେ ଏକ ବିସ୍ତୃତ ଖବର ପ୍ରକାଶ ପାଇଥିଲା। ଯାହାର ଶୀର୍ଷକ ଥିଲା- ‘ଭଙ୍ଗା କୁଡ଼ିଆରେ ଜୀବନ’। ‌ତେବେ ଏତେ ସତ୍ତ୍ବେ ଦେବଶ୍ରୀଙ୍କୁ ଘର ମିଳିଲା ନାହିଁ।

ଘରଟିଏ ନ ପାଇବାରୁ ସେ ଚଳିତ ପଞ୍ଚାୟତ ନିର୍ବାଚନରେ ନିଜେ ସରପଞ୍ଚ ହୋଇ ଘର ବାଣ୍ଟିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେଥିପାଇଁ ନିଜ ସ୍ୱାମୀଙ୍କ ପରାମର୍ଶ କ୍ରମେ ସେ ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି। ମାଛ ଚିହ୍ନରେ ଏବେ ସେ ନିର୍ବାଚନ ଲଢ଼ୁଛନ୍ତି। ଦେବଶ୍ରୀ ପୋଷ୍ଟର, ବ୍ୟାନର ଛପାଇ ନ ପାରି ଘର ଘର ବୁଲି ନିଜେ ଭୋଗିଥିବା ସମସ୍ୟା ସଂପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି। ଏମିତିକି ତାଙ୍କୁ କିଭଳି ସରପଞ୍ଚ ଘର ଖଣ୍ଡେ ଦେବାକୁ ଆଜି ଆସ, କାଲି ଆସ ଦୌଡ଼ାଇଥିଲେ ସେ ସଂପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି।

ଦେବଶ୍ରୀଙ୍କ କହିବା କଥା ହେଉଛି, ତାଙ୍କ ମୁଣ୍ଡ ଉପରେ ଛାତ ଖଣ୍ଡେ ନାହିଁ। ତେଣୁ ସେ ଚାହୁଁଛନ୍ତି ତାଙ୍କ ଭଳି ଗରିବ ଶ୍ରେଣୀର କୌଣସି ଲୋକ ଏଠାରେ ଘର ‌ଖଣ୍ଡେ ପାଇଁ ବାରଦୁଆର ନ ହୁଅନ୍ତୁ। ତେଣୁ ସେଥିପାଇଁ ସେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି। ବିଜୟୀ ହେଲେ ସମସ୍ତଙ୍କୁ ଘର ଯୋଗାଇବା ତାଙ୍କର ପ୍ରାଥମିକତା ହେବ ବୋଲି ସେ କହିଛନ୍ତି।

ଦେବଶ୍ରୀଙ୍କ ସ୍ବାମୀ ରମାକାନ୍ତଙ୍କ କହିବା କଥା ହେଉଛି, ଘର ଖଣ୍ଡେ ପାଇଁ ସରପଞ୍ଚଙ୍କ ପାଖକୁ ଦୌଡ଼ିଦୌଡ଼ି ଚପଲ ଛିଣ୍ଡିଗଲା। ଏବେ ଜିତିବୁ କି ହାରିବୁ ତାହା ଭିନ୍ନ କଥା। ମାତ୍ର ଘର ଖଣ୍ଡେ ମିଳି ନ ଥିଲା ବୋଲି ତାଙ୍କ ପତ୍ନୀ ସରପଞ୍ଚ ପାଇଁ ପ୍ରାର୍ଥୀ ହୋଇଥିବା ସମସ୍ତେ ଜାଣନ୍ତୁ ବୋଲି ରମାକାନ୍ତ କହିଛନ୍ତି।