ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଗେରେଡ଼ା ଗ୍ରାମରେ ବୁଧବାର ସକାଳେ ଦୀପନିଆଁରେ ପୋଡ଼ି ହୋଇ ଜଣେ ମହିଳା ପ୍ରାଣ ହରାଇଛନ୍ତି। ମୃତକଜଣକ ହେଉଛନ୍ତି, ରମେଶ ନାଇକଙ୍କ ଝିଅ ମାଳତି ନାଇକ (୨୬)।
ମାଳତି ବେଲଗୁଣ୍ଠାରେ ବିବାହ କରିଥିବା ବେଳେ ତାଙ୍କ ସ୍ବାମୀ ସନ୍ତୋଷ ରାଜ୍ୟ ବାହାରେ କାମ କରୁଛନ୍ତି। ତାଙ୍କର ବର୍ଷକର ଗୋଟିଏ ପୁଅ ଅଛି। ଗତ ୪ ଦିନ ତଳେ ମାଳତି ବାପାଙ୍କ ଘର ଗେରେଡ଼ା ଗ୍ରାମକୁ ଆସିଥିଲେ। ବୁଧବାର ସକାଳେ ଗେରେଡ଼ା ଗ୍ରାମ ନିକଟ ପେଣ୍ଡୁରାବାଲି ମନ୍ଦିରକୁ ପୂଜା କରିବାକୁ ଯାଇଥିବା ବେଳେ ସେଠାରେ ଦୀପନିଆଁରେ ପୋଡ଼ି ହୋଇ ଜୀବନ ରକ୍ଷା କରିବାକୁ ନିକଟସ୍ଥ ଏକ କୂଅ ଭିତରକୁ ଡେଇଁ ପଡ଼ିଥିଲେ। ଉକ୍ତ ରାସ୍ତା ଦେଇ ଯାଉଥିବା କିଛି ଗ୍ରାମବାସୀ ମାଳତିଙ୍କୁ ଚିତ୍କାର କରିବା ଓ କୂଅକୁ ଡେଇଁବା ଦେଖି ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ। ବାପା ରମେଶ ଓ ପରିବାର ଲୋକେ ଗୁରୁତର ଅବସ୍ଥାରେ ମାଳତିଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ତାରସିଂ ଥାନାଧିକାରୀ ପ୍ରଦୀପ୍ତ କୁମାର ଦାଶ ସୂଚନା ଦେଇଛନ୍ତି।