ଚାରି ମହଲାରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

କଟକ : ଚାରି ମହଲା ଆପାର୍ଟମେଣ୍ଟ ଛାତରୁ ଡ଼େଇଁ ଆଜି ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଛନ୍ତି । ବିବାହ ବିଚ୍ଛେଦକୁ କେନ୍ଦ୍ରକରି ମହିଳା ଜଣକ ଆତ୍ମହତ୍ୟା କରିିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ସନ୍ଦେହ କରୁଛି। ମୃତ ମହିଳା ଜଣକ ମାଲ୍‌ଗୋଦାମ ଥାନା ଅନ୍ତର୍ଗତ ଜୁନୁଷପାଟଣା ଅଞ୍ଚଳର ବସନ୍ତ କୁମାର ସାହୁଙ୍କ ଝିଅ ବନ୍ଦନା ସାହୁ(୩୯) । ମାଲ୍‌ଗୋଦାମ ଥାନା ପୁଲିସ ବନ୍ଦନାଙ୍କ ମୃତଦେହ ଉଦ୍ଧାର କରି କଟକ ବଡ଼ ମେଡିକାଲ୍‌ରେ ବ୍ୟବଚ୍ଛେଦ କରାଇଥିବା ସୂଚନା ମିଳିଛି ।

ପ୍ରକାଶ ଯେ ମାଲ୍‌ଗୋଦାମ ଥାନା ଅନ୍ତର୍ଗତ ଜୁନୁଷପାଟଣା ଅଞ୍ଚଳର ବସନ୍ତ କୁମାର ସାହୁଙ୍କ ଝିଅ ବନ୍ଦନା ଗତ ଦଶ ବର୍ଷ ତଳେ ବିବାହ କରିଥିଲେ। କିନ୍ତୁ ୬ ବର୍ଷ ତଳେ ବିବାହ ବିଚ୍ଛେଦ ହେବାରୁ ବନ୍ଦନା ବାପ ଘରେ ଥିଲେ । ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ବନ୍ଦନା ଚାରି ମହଲା ଛାତ ଉପରେ ବୁଲୁଥିବା ବେଳେ ହଠାତ୍‌ ଛାତ ଉପରୁ ତଳକୁ ଡେଇଁ ପଡ଼ିଥିଲେ । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ପହଞ୍ଚି ବନ୍ଦନାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିବା ପରେ ବଡ଼ ମେଡିକାଲ୍‌ର ଜରୁରିକାଳୀନ ଓ୍ଵାର୍ଡରେ ଭର୍ତ୍ତି କରିଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକେ ସଂସ୍କାର ପାଇଁ ମୃତ ଦେହକୁ ନେଇଥିଲେ । ଏସିପି ତ୍ରିନାଥ ମିଶ୍ରଙ୍କ କହିବା ଅନୁଯାୟୀ, ବିବାହ ବିଚ୍ଛେଦ ପରେ ବନ୍ଦନା ମାନସିକ ସ୍ତରରେ ଅସୁସ୍ଥ ଥିବାରୁ ଆଜି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଏ ନେଇ ମାଲ୍‌ଗୋଦାମ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା(କେସ୍‌ ନଂ ୩୧) ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର