ରେଳଷ୍ଟେସନରୁ ମହିଳାଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ 

ସିସିଟିଭିରେ କଏଦ ହେଲା ଚିତ୍ର, ସପ୍ତାହେ ପରେ ବି ମହିଳାଙ୍କ ଟେର୍‌ ପାଉନି ପୁଲିସ

୨ଜଣଙ୍କୁ ଅଟକ ରଖି ଜେରା, ଆଦିବାସୀ ବିକାଶ ସମିତିରେ ନାବାଳକକୁ ଥଇଥାନ

ବଡ଼ବିଲ : କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଳଷ୍ଟେସନରୁ ମହିଳାଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ। ଘଟଣାକୁ ସପ୍ତା‌ହେ ପୂରିଥିଲେ ମଧ୍ୟ ପୁଲିସ ମହିଳାଙ୍କ କୌଣସି ସନ୍ଧାନ ପାଉନି। ଅନ୍ୟପକ୍ଷରେ ଏହି ସମୟର ଦୃଶ୍ୟ ରେଳଷ୍ଟେସନର ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଘଟଣାରେ ବଡ଼ବିଲ ପୁଲିସ ସନ୍ଦେହରେ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ମହିଳାଙ୍କ ୬ ବର୍ଷର ପୁଅକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡାଙ୍କ ଆଦିବାସୀ ବିକାଶ ସମିତିରେ ଥଇଥାନ କରିଛନ୍ତି। ରେଳଷ୍ଟେସନ ଭଳି ଏକ ସର୍ବସାଧାରଣ ସ୍ଥାନରୁ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ଜୋର ଜବରଦସ୍ତ ଉଠାଇ ନେବା ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଉଦ୍‌ବେଗ ପ୍ରକାଶ ପାଇଛି।

ନାବାଳକର କହିବା ଅନୁସାରେ, ସେମାନେ ୧୬ ତାରିଖ ରାତି ପ୍ରାୟ ୯ଟା ‌ବେଳେ ଟାଟାନଗର ଷ୍ଟେସନରୁ ନିଜ ସମ୍ପର୍କୀୟଙ୍କ ଘରକୁ ଯିବା ପାଇଁ ଏକ ଟ୍ରେନ୍‌ରେ ଚଢ଼ିଥିଲେ। ସେମାନେ ଭୁଲ୍‌ବଶତଃ ଟାଟାନଗର-ବଡ଼ବିଲ ପାସେଞ୍ଜର ଟ୍ରେନ୍‌ରେ ଚଢ଼ିଯାଇଥିବାରୁ ବଡ଼ବିଲ ରେଳଷ୍ଟେସନରେ ଆସି ଓହ୍ଲାଇଥିଲେ। ରେଳଷ୍ଟେସନର ଏକ ବେଞ୍ଚ୍‌ରେ ସେ ଶୋଇଥିବା ବେଳେ ପାଖରେ ତାଙ୍କ ମା’ ବସିଥିଲେ। କିଛି ସମୟ ପରେ ସେ ମା’କୁ ପାଇନଥିଲେ। ସକାଳୁ ଷ୍ଟେସନରେ ଶୋଇଥିବା ଲୋକେ ନାବାଳକକୁ ବଡ଼ବିଲ ପୁଲିସ ଜିମା ଦେଇଥିଲେ। ପୁଲିସ ତାକୁ ସେରେଣ୍ଡାସ୍ଥିତ ଆଦିବାସୀ ବିକାଶ ସମିତିରେ ଥଇଥାନ କରିଛି।

ଅନ୍ୟପକ୍ଷରେ ସିସିଟିଭି ଫୁଟେଜ୍‌ରୁ ମିଳିଥିବା ତଥ୍ୟ ଅନୁସାରେ ସେଦିନ ରାତି ପ୍ରାୟ ୧୨.୪୭ ମିନିଟରେ ୪ ଜଣ ଦୁର୍ବୃତ୍ତ ରେଳଷ୍ଟେସନରେ ପଶିଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣ ମହିଳାଙ୍କୁ ଟଣାଓଟରା କରିଥିଲେ। ପରେ ଅନ୍ୟ ଦୁଇଜଣ ଦୁର୍ବୃତ୍ତଙ୍କ ସହାୟତାରେ ସେମାନେ ମହିଳାଙ୍କୁ ସେଠାରୁ ଟାଣିଟାଣି କେଉଁଆଡ଼େ ନେଇଯାଇଥିଲେ ବୋଲି ବଡ଼ବିଲ ଏସ୍‌ଡିପିଓ ସତ୍ୟବିକାଶ ଭୂୟାଁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର