ପାତ୍ରପୁର : ସଉତୁଣୀକୁ ହତ୍ୟା କରି ପୋଡ଼ି ଦେଲା ମହିଳା

ପାତ୍ରପୁର : ସଉତୁଣୀକୁ ହତ୍ୟା କରି ପୋଡ଼ି ଦେଲା ସଉତୁଣୀ। ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା କେଲୁଆ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ମହିଳା ଜଣକ ହେଲେ ସଂଯୁକ୍ତା ବେହେରା। ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ଲଳିତ ପ୍ରଧାନଙ୍କ ଲକ୍ଷ୍ମୀ ପ୍ରଧାନଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସଂଯୁକ୍ତାକୁ ହତ୍ୟା କରିଥିବା ନେଇ ଲକ୍ଷ୍ମୀ ସ୍ବୀକାର କରିଥିବା ଥାନାଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ସୂଚନା ଦେଇଛନ୍ତି।

ଲଳିତ ବହୁ ବର୍ଷ ତଳେ ଲକ୍ଷ୍ମୀଙ୍କୁ ପ୍ରଥମ ବିବାହ କରିଥିଲେ। ସେମାନଙ୍କ ୨ ସନ୍ତାନ ଅଛନ୍ତି। ହେଲେ ଲଳିତ ଚେନ୍ନାଇରେ କାମ କରୁଥିବା ସମୟରେ ସଂଯୁକ୍ତାଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଆଉ ସେ ସଂଯୁକ୍ତାଙ୍କୁ ଆଣି କେଲୁଆ ଗ୍ରାମରେ ନିଜ ଘରେ ରଖିଥିଲେ। ସଂଯୁକ୍ତାଙ୍କ ମଧ୍ୟ ୨ ବର୍ଷର ଏକ ଝିଅ ଅଛି। ଦୁଇ ସଉତୁଣୀ ବାରିପଟେ ଓ ବାରଣ୍ଡା ପଟେ ରହୁଥିଲେ। କିନ୍ତୁ ଲକ୍ଷ୍ମୀ ଓ ସଂଯୁକ୍ତାଙ୍କ ମଧ୍ୟରେ ସବୁବେଳେ ଗଣ୍ଡଗୋଳ ହେଉଥିଲା। ସ୍ବାମୀ ଲଳିତ ବିଶାଖାପାଟଣାରେ ଦାଦନ ଖଟୁଥିଲେ। ଲକ୍‌ଡାଉନ୍ ଯୋଗୁଁ ସେ ଘରକୁ ଫେରିଥିବା ବେଳେ ସବୁ କିଛି ଠିକ୍‌ଠାକ୍ ଥିଲା। ପୁଣି ୧୫ ଦିନ ତଳେ ସେ ପଳାଇଥିଲେ।

ଗତକାଲି ସନ୍ଧ୍ୟା‌ରେ ଲକ୍ଷ୍ମୀ ଓ ସଂଯୁକ୍ତାଙ୍କ ମଧ୍ୟରେ ପୁଣି ପ୍ରବଳ ପାଟିତୁଣ୍ଡ ହୋଇଥିଲା। କିନ୍ତୁ ସଂଯୁକ୍ତାଙ୍କୁ ରାସ୍ତାରୁ ହଟାଇବାକୁ ଲକ୍ଷ୍ମୀ ଯୋଜନା କରିଥିଲେ। ବିଳମ୍ବିତ ରାତି ପ୍ରାୟ ୨ଟାରେ ସଂଯୁକ୍ତା ତାଙ୍କ ଝିଅକୁ ଧରି ବାରଣ୍ଡାରେ ଶୋଇଥିବା ସମୟରେ ଲକ୍ଷ୍ମୀ ଏକ ଠେଙ୍ଗାରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ସଂଯୁକ୍ତା ଅଚେତ ହୋଇଯାଇଥିଲେ। ସେ ମରିଯାଇଥିବା ଭୟରେ ‌ପାଖରେ ଶୋଇଥିବା ୨ ବର୍ଷର ଝିଅକୁ ଲକ୍ଷ୍ମୀ ଉଠାଇ ଦେଇଥିଲେ। ଆଉ ସଂଯୁକ୍ତାଙ୍କ ଉପରେ କିରାସିନି ଢାଳି ପୋଡ଼ି ଦେଇଥିଲେ। ଆଜି ଅପରାହ୍‌ଣରେ ଚିକିଟି ଏସ୍‌ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ, ନିର୍ବାହୀ ମାଜିଷ୍ଟ୍ରେଟ୍ ତଥା ପାତ୍ରପୁର ତହସିଲଦାର ଡ.ଶ୍ରୀନିବାସ ବେହେରା, ଜରଡ଼ା ଥାନା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିଲେ। ଦରପୋଡ଼ା ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ହତ୍ୟାକାରୀ ଲକ୍ଷ୍ମୀଙ୍କୁ ଥାନାରେ ଅଟକ ରଖାଯାଇଛି। ଏ ନେଇ କେସ୍ ନମ୍ବର ୧୫୮ ଅନୁସାରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର