ପତ୍ନୀଙ୍କୁ ପିଟି ପିଟି ହତ୍ୟା, ସ୍ବାମୀ ଅଟକ; ୫ ଦିନ ପରେ ବନ୍ଦ ଘରୁ ଗଳିତ ଶବ ଉଦ୍ଧାର

ରାଉରକେଲା: ହତ୍ୟାର ୫ ଦିନ ପରେ ବନ୍ଦ ଘରୁ ମହିଳାଙ୍କ ଗଳିତ ଶବ ଜବତ କରିଛି ପ୍ଲାଣ୍ଟପାଇଟ୍‌ ପୁଲିସ। ମୃତ ମହିଳା ଜଣକ ହେଲେ ସେକ୍ଟର-୨୧ ରାଉରକେଲା ବନ ଉନ୍ନୟନ ନିଗମ କାର୍ଯ୍ୟାଳୟ ନିକଟ ଝରିଆବାହାଲ ବସ୍ତିର ସୁକୁମଣି ବଡାଇକ। ମହିଳାଙ୍କୁ ତାଙ୍କ ସ୍ବାମୀ ପିଟି ପିଟି ହତ୍ୟା କରି ଘରେ ଫିଙ୍ଗି ଦେଇଥିବା ଅଭି‌ଯୋଗ ଆଣିଛନ୍ତି ତାଙ୍କ ସମ୍ପର୍କୀୟ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସରକାରୀ ଡାକ୍ତରଖାନାକୁ ପଠାଇଛି। ହତ୍ୟାକାରୀ ସ୍ବାମୀ ଶ୍ୟାମ ସୁନ୍ଦର ବଡାଇକୁ ଥାନରେ ଅଟକ ରଖିଛି। ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

ଝରିଆବାହାଲ ବସ୍ତିରେ ଶ୍ୟାମସୁନ୍ଦର ବଡାଇ ତାଙ୍କ ପତ୍ନୀ ସୁକୁମଣିଙ୍କ ସହ ରହନ୍ତି। ଶ୍ୟାମ ସୁନ୍ଦର ଓଡ଼ିଶା ବନ ଉନ୍ନୟନ ନିଗମରେ ଶ୍ରମିକ ଭାବେ କାମ କରନ୍ତି। ସମ୍ପର୍କୀୟଙ୍କ କହିବାନୁଯା‌ୟୀ ଗତ ଶନିବାର କୌଣସି କଥାକୁ କେନ୍ଦ୍ରକରି ଉଭୟ ପତି ଓ ପତ୍ନୀଙ୍କ ମଧ୍ୟରେ କୁଆଡେ କଳି ଝଗଡା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ସ୍ବାମୀ ଶ୍ୟାମ ସୁନ୍ଦର କୁଆାଡେ ପତ୍ନୀଙ୍କୁ ପିଟି ପିଟି ହତ୍ୟା କରିଥିଲେ। ପରେ ଘରେ ଫିଙ୍ଗି ଦେଇଥିଲେ। ଧରାପଡିଯିବା ଭୟରେ ପତ୍ନୀଙ୍କ ଶବକୁ ଘରେ ତାଲା ମାରି ବନ ଉନ୍ନୟନ ଅଫିସ୍‌ର କାର୍ଯ୍ୟରତ ଜଗୁଆଳିଙ୍କ ଘର ଖାଲିଥିବାରୁ ସେଠାରେ ଶୋଉଥିଲେ। ସାଧାରଣ ଲୋକଙ୍କ ପରି ପ୍ରତିଦିନ ବନ ଉନ୍ନୟନ ବିଭାଗକୁ ଶ୍ରମିକ ଭାବେ କାମ କରିବାକୁ ଯାଉଥିଲେ। କିନ୍ତୁ ଘରକୁ ଆସୁ ନଥିଲେ। ସେପଟେ ଘର ବାହାର ପଟୁ ବନ୍ଦ ଥିବାରୁ ସୁକୁମଣିଙ୍କ ମୃତ୍ୟୁ ସମ୍ପର୍କରେ କେହି କିଛି ଜାଣି ପାରି ନଥିଲେ। ଆଜି ଅପରାହ୍ନରେ ବନ୍ଦ ଘରୁ ଦୁର୍ଗନ୍ଧ ବାହାରୁଥିବା ଜାଣିବା ପରେ ପଡୋଶୀଙ୍କର ସନ୍ଦେହ ହୋଇଥିଲା। ଏ ସଂକ୍ରାନ୍ତରେ ସେମାନେ ପ୍ଲାଣ୍ଟସାଇଟ୍‌ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଜବତ କରିବା ସହ ହତ୍ୟାକାରୀ ସ୍ବାମୀକୁ ଥାନାକୁ ଉଠାଇ ନେଇଥିଲେ।

ସମ୍ବନ୍ଧିତ ଖବର