ପୁଣି ଜୀବନ ନେଲା ବାଘ! ମହିଳାଙ୍କୁ ମାରି ଖାଇଲା

ଭୟରେ ଉଦ୍ଧାର ହୋଇପାରିନି ଶବ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ ଖେଳାଇଛି। ଗୁରୁବାର ଜଣେ ମହିଳାଙ୍କୁ ବାଘ ମାରି ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୃତକ ହେଲେ ନୂଆପଡ଼ା ସଦର ବ୍ଲକ୍‌ ଭରୁଆମୁଣ୍ଡା ପଞ୍ଚାୟତ ଛୋଟଲୋଡ୍ରା ଗ୍ରାମର ମକର ମାଝୀଙ୍କ ସ୍ତ୍ରୀ ଭାନୋବାଇ ମାଝୀ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ନଥିଲା। ଅନ୍ୟପଟେ ମହିଳାଙ୍କୁ ଯେଉଁଠାରେ ବାଘ ଆକ୍ରମଣ କରିଥିଲା, ସେହି ସ୍ଥାନକୁ ଗ୍ରାମବାସୀ ଓ ପରିବାର ଲୋକ ଯାଇଥିଲେ। କିନ୍ତୁ ବାଘର ଗର୍ଜନ ଶୁଣି ଭୟରେ ଚାଲି ଆସିଥିବା ଭରୁଆମୁଣ୍ଡା ସରପଞ୍ଚ କହିଛନ୍ତି।

ସୂଚନାନୁସାରେ, ଗୁରୁବାର ସକାଳ ୧୦ ଟାରେ ଭାନୋବାଇ ମାଝୀ ଛୋଟଲୋଡ୍ରା ଠାରୁ ୧କିମି ଦୂରରେ ଥିବା ନିଜ ଜମିକୁ ଯାଇଥିଲେ। ହେଲେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଘରୁକୁ ଫେରିନଥିଲେ। ବିଳମ୍ବ ହେବାରୁ ପରିବାର ଲୋକ ଓ ଗ୍ରାମବାସୀ ମିଶି ଜମିକୁ ଯାଇଥିଲେ। ୫୦ ମିଟର ଦୂରରୁ ଦେଖିବାକୁ ପାଇଥିଲେ ଯେ କ୍ଷତବିକ୍ଷତ ଅବସ୍ଥାରେ ମହିଳାଙ୍କ ଶରୀର ଜମି ନିକଟ ନାଳରେ ପଡ଼ିରହିଛି। କିଛି ସମୟ ପରେ ଜଙ୍ଗଲ ମଧ୍ୟରୁ ବାଘର ଗର୍ଜନ ଶୁଣି ଭୟରେ ପାଖରେ ଥିବା ଏକ ଗଛକୁ ଚଢ଼ି ଯାଇଥିଲେ। ପରେ ଗାଁର କିଛି ଲୋକ ଯାଇ ସେମାନଙ୍କୁ ଉଦ୍ଧାର କରିଛନ୍ତି। ରାତି ହେବାରୁ ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀ ଏବଂ ବାଘ ଭୟରେ ବନବିଭାଗ କିଂବା ଗ୍ରାମବାସୀ ଘଟଣାସ୍ଥଳକୁ ପହଞ୍ଚିପାରିନାହାନ୍ତି।

ଅନ୍ୟପଟେ ନୂଆପଡ଼ା ସୁନାବେଡ଼ା ବନ୍ୟପ୍ରାଣୀ ବିଭାଗର ରେଞ୍ଜର ଦିଲ୍ଲୀପ ଚମ୍ପତରାୟ କହିଛନ୍ତି, ମହିଳାଙ୍କୁ ବାଘ ଖାଇଛି ବୋଲି ଗାଁ ଲୋକ ଆମକୁ ଖବର ଦେଇଛନ୍ତି। ରାତିରେ ଗାଁ ଲୋକଙ୍କ ସହଯୋଗରେ ଘଟଣାସ୍ଥଳକୁ ଯିବାପାଇଁ କହିଥିଲୁ। ହେଲେ ଗାଁ ଲୋକ ରାତିରେ ଯିବାକୁ ମନା କରିଥିଲେ। ଶୁକ୍ରବାର ଗ୍ରାମବାସୀଙ୍କ ସହଯୋଗରେ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରାଯିବ। ଏହାପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି କହିଛନ୍ତି। ସୂଚନାଥାଉ କି, ୨୦୧୭ ମସିହାରେ ନୂଆପଡ଼ା ବ୍ଲକ୍‌ ଡୁମେରପାଣି ପଞ୍ଚାୟତ ହଳଦୀ ଗାଁର ଜଣେ ନାବାଳକକୁ ମା’ କୋଳରୁ ବାଘ ଝାମ୍ପି ନେଇଥିଲା। କିଛି ଦିନ ପରେ ଉକ୍ତ ଗାଁର ୨ଜଣ ମହିଳାଙ୍କୁ ଆକ୍ରମଣ କରିଥିଲା। ସେ ସମୟରେ ୨ଟି ବାଘକୁ ଧରି ବନ ବିଭାଗ ନନ୍ଦନକାନକୁ ପଠାଇଥିଲା। ୩ବର୍ଷ ପରେ ପୁଣି ବାଘ ଆକ୍ରମଣରେ ଜଣଙ୍କ ଜୀବନ ଯାଇଥିବା ଚର୍ଚ୍ଚା ହେଉଛି।

ସେହିପରି ଜିଲ୍ଲାର ସିନାପାଲି ବ୍ଲକ୍‌ ଉପାନ୍ତ ଅଞ୍ଚଳରେ ବାଘ ଆତଙ୍କ ଲାଗିରହିଛି। ତେଣୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଗତ ୨ରୁ ୩ଦିନ ହେବ ଉକ୍ତ ଅଞ୍ଚଳରେ ବାଘ ଆତଙ୍କ ଖେଳାଇଚାଲିଛି ବୋଲି ଅଞ୍ଚଳବାସୀ ସୂଚନା ଦେଇଛନ୍ତି। ସିନାପାଲିସ୍ଥିତ ଘାଟମାଲ ପଞ୍ଚାୟତ ଯୋଗଭଟା ଓ ତିଲେଇପାଳନା, ଦୁମେରବହାଲ, ବୈଜଲପୁର ଅଞ୍ଚଳରେ ବାଘ ଗୁହାଳରେ ପଶି ଛେଳି ମେଣ୍ଢା ଖାଇଯାଉଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର