ଇନ୍ଦିରା ଆବାସ କାନ୍ଥ ଭୁଶୁଡ଼ିଲା! : ମହିଳା ମୃତ, ଝିଅ ଗୁରୁତର, ନିମ୍ନମାନର କାମ ଅଭିଯୋଗରେ ଶବ ରଖି ରାସ୍ତାରୋକ

ନୂଆପଡ଼ା : ନିମ୍ନମାନର କାମ ପାଇଁ ଏକ ଇନ୍ଦିରାବାସ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ତାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ ସମ୍ପୃକ୍ତ ଗ୍ରାମର ଅଧିବାସୀମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।

ମୃତ ମହିଳା ହେଲେ, ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ଅନ୍ତର୍ଗତ ଲଖନା ଗ୍ରାମର ଉଦ୍ଧବ ରାଉତଙ୍କ ସ୍ତ୍ରୀ ଲଳିତା (୩୫ବର୍ଷ)। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଦୁଇ ପିଲା ପୂର୍ଣ୍ଣମୀ (୫) ଓ ପୁଅ ମଣ୍ଟୁ (୬)ଙ୍କ ସହ ସ୍ୱାମୀ-ସ୍ତ୍ରୀ ଶୋଇଥିବାବେଳେ ହଠାତ୍‌ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ଲଳିତା କାନ୍ଥ ତଳେ ଚାପି ହୋଇ ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପରେ କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ ରାସ୍ତାରୋକ କରିଥିଲେ। ନିମ୍ନମାନର କାମ ପାଇଁ ଏପରି ଘଟଣା ଘଟିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ମୃତ ଲଳିତାଙ୍କ ସ୍ୱାମୀ ଦାଦନ ଖଟିବାକୁ ବେଙ୍ଗାଲୁରୁ ଯାଇଥିଲେ। ୨୦୧୫ ମସିହାରେ ତାଙ୍କ ଘର ପୋଡ଼ିଯିବାରୁ ଲଖନା ପଞ୍ଚାୟତର ଜରୁରିକାଳୀନ ପାଣ୍ଠିରୁ ତାଙ୍କୁ ୭୫ ହଜାର ଟଙ୍କାର ଏକ ଇନ୍ଦିରା ଆବାସ ମଞ୍ଜୁର ହୋଇଥିଲା। ଏହି ଘରକୁ ଜଣେ ପେଟି ଠିକାଦାର ତିଆରି କରିଥିଲେ। ଘରକାମ ଅତି ନିମ୍ନମାନର ହୋଇଥିବାରୁ ତାହା ଭୁଶୁଡ଼ି ପଡ଼ିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର