ଗୁଣିଗାରେଡ଼ି କରୁଥିବା ମହିଳାଙ୍କୁ ହତ୍ୟା କଲେ ଦୁଇ ଗ୍ରାମବାସୀ

ନବରଙ୍ଗପୁର: ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ପାପଡ଼ାହାଣ୍ଡି ବ୍ଲକ୍‌ ଅନ୍ତର୍ଗତ ଗୁଜୁମାପଦର ଗ୍ରାମରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି।

ମୃତା ମହିଳାଜଣକ ହେଉଛନ୍ତି ତୁଳାବତୀ ସାନ୍ତା। ତୁଳାବତୀ ସପରିବାର ଘରେ ଶୋଇଥିବା ବେଳେ ସେହି ଗ୍ରାମର ଧନୁ ସାନ୍ତା ଏବଂ ରାଧୁ ସାନ୍ତା ତାଙ୍କୁ ବାହାରକୁ ଡାକି ନେଇ ହଳ ଜୁଆଡ଼ି ଦ୍ୱାରା ନିର୍ମମ ଭାବେ ହତ୍ୟା କରିଥିଲେ ବୋଲି ପୁଲିସ‌ରେ ଅଭିଯୋଗ ହୋଇଛି । ତାଙ୍କୁ ବଞ୍ଚାଇବାକୁ ଯାଇ ବୋହୂ ଟିକମ ସାନ୍ତା ମଧ୍ୟ ସାଙ୍ଘାତିକ ଆହତ ହୋଇଛନ୍ତି।

ସେ  ଗୁଣିଗାରେଡ଼ି କରୁଥିବା ଅଭିଯୋଗ କରି ଗ୍ରାମବାସୀମାନେ ତୁଳାବତୀଙ୍କ ପରିବାରକୁ ଦୀର୍ଘ ଦିନ ହେବ ନିଆଁପାଣିରୁ ବାସନ୍ଦ କରି ଏକଘରିଆ କରିଥିଲେ। କିଛି ଦିନ ହେବ ଧାନୁ ସାନ୍ତା ଏବଂ ରାଧୁ ସାନ୍ତାଙ୍କ ପରିବାର ଲୋକଙ୍କ ଦେହ ଭଲ ରହୁ ନ ଥିଲା। ଏଥିପାଇଁ ସେମାନେ ତୁଳାବତୀଙ୍କ ଗୁଣିଗାରେଡ଼ିକୁ ସନ୍ଦେହ କରୁଥିଲେ। ଏହାକୁ ଭିତ୍ତି କରି ହତ୍ୟାକାଣ୍ଡ ଘଟିଥିବା କଥା ସନ୍ଦେହ କରାଯାଉଛି।

ଅଭିଯୁକ୍ତମାନେ ଘଟଣା ପରେ ଫେରାର ହୋଇଯାଇଛନ୍ତି। ପରିବାର ଲୋକେ ଏ ସଂକ୍ରାନ୍ତରେ ମୈଦଲପୁର ଥାନାରେ ଏତଲା ଦେଇଛନ୍ତି। ପୁଲିସ ତୁଳବତୀଙ୍କ ଶବ ଜବତ କରି ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।

ସମ୍ବନ୍ଧିତ ଖବର