ଧର୍ମଶାଳା: ଗଛକଟା ବିବାଦକୁ ନେଇ ପଡ଼ୋଶୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ପତ୍ନୀ ବିନି ନାୟକ(୫୧)ଙ୍କୁ ପଡ଼ୋଶୀ ହତ୍ୟା କରିଥିବା ସ୍ବାମୀ ପାଟପୁର ପଞ୍ଚାୟତ ପାଣିମୁହାଣି ଗ୍ରାମର ବିଜୟ କୁମାର ନାୟକ ଧର୍ମଶାଳା ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ ଏକ ମାମଲା ରୁଜୁ କରି ୪ଜଣ ଅଭିଯୁକ୍ତଙ୍କୁ ଥାନାକୁ ଧରିଆଣି ପଚରାଉଚରା କରୁଛି। ଘଟଣାରୁ ପ୍ରକାଶ ଯେ, ଗଛକଟା ବିବାଦକୁ କେନ୍ଦ୍ର କରି ଶନିବାର ପୂର୍ବାହ୍ଣରେ ବିଜୟଙ୍କୁ କେତେକ ପଡ଼ୋଶୀ ଗାଳିଗୁଲଜ କରିବା ସହିତ ମାରପିଟ୍ କରିଥିଲେ।
ଏସଂପର୍କରେ ବିଜୟ କୋତପୁର ଫାଣ୍ତିରେ ଅଭିଯୋଗ କରିଥିଲେ। ପରେ ରାତି ପ୍ରାୟ ସାଢେ଼ ୧୨ଟାରେ ଉଭୟ ପତିପତ୍ନୀ ବାହାରକୁ ବାହାରିଥିବା ବେଳେ ତାଙ୍କ ଘର ନିକଟରେ ପୂର୍ବରୁ ଲୁଚିଥିବା ୫ଜଣ ପଡ଼ୋଶୀ ହଠାତ୍ ସେମାନଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବିନିଙ୍କ ବେକରେ ଓ ପେଟରେ ଚଢ଼ିଯିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବିଜୟଙ୍କୁ ମଧ୍ୟ ସେମାନେ ପ୍ରବଳ ମାଡ଼ ମାରି ଚମ୍ପଟ ମାରିଥିଲେ। ପରେ ସଂପର୍କୀୟ ଉଭୟଙ୍କୁ ନେଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଡାକ୍ତର ବିନିଙ୍କୁ ମୃତ ଘୋଷଣା କରିଥିବା ବେଳେ ବିଜୟଙ୍କୁ ଚିକିତ୍ସା କରାଯାଉଛି। ଉଲ୍ଲେଖ ଯୋଗ୍ୟ ଯେ, ବିଜୟ ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ଜମିବାଡ଼ି ବିବାଦ ରହିଥିଲା। ଗୁରୁବାର ବିଳମ୍ବିତ ରାତିରେ ପଡ଼ୋଶୀଙ୍କ ବାଡ଼ିରେ ଥିବା କେତେକ ଗଛକୁ କିଏ ହାଣି ଦେଇଥିଲା। ଏସବୁ ଗଛକୁ ବିଜୟ ହାଣି ଦେଇଥିବା ଅଭିଯୋଗ କରି ପଡ଼ୋଶୀ ଗତକାଲି ତାଙ୍କୁ ମାରପିଟ୍ କରିଥିଲେ। ଖବରପାଇ ହାଇଦ୍ରାବାଦରେ ରହୁଥିବା ବିଜୟଙ୍କ ପୁଅ ପଡ଼ୋଶୀଙ୍କୁ ଏସଂପର୍କରେ ଫୋନ୍ରେ କଥାବାର୍ତ୍ତା କରି ଘଟଣାର ସମାଧାନ କରିବାକୁ ଅନୁରୋଧ କରିଥିଲେ। ହେଲେ ସଂପୃକ୍ତ ପଡ଼ୋଶୀ ତୋ’ ବାପା ମୋ ବାଡ଼ିର ୪୦ଟା ଗଛ ହାଣି ଦେଇଛି। ମୁଁ ତାକୁ ଟିକିଟିକି କରି ହାଣିଦେବି ବୋଲି ଧମକ ଦେଇଥିଲା। ପୁଲିସ୍ ମୃତଦେହକୁ ଜବତ କରି ବଡ଼ଚଣା ଡାକ୍ତରଖାନାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ନଂ.୧୯୨/୨୨ ରେ ଏକ ମାମଲା ରୁଜୁକରି ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ବିନିଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/1-11.jpg)