ଜଗତସିଂହପୁର/ନାଉଗାଁ : ପାଞ୍ଚ ବର୍ଷର ଶିଶୁ ପୁତ୍ରକୁ ତଣ୍ଟି ଚିପି ହତ୍ୟା କରି ମା’ କରିଛି ଆତ୍ମହତ୍ୟା। ପରିବାର ଲୋକ ଅତ୍ୟନ୍ତ ତରବରିଆ ଭାବେ ମୃତଦେହକୁ ଜାଳି ଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଅଲଣା ପଞ୍ଚାୟତର ସଠଳପୁର ଗାଁରେ। ମୃତକ ହେଲେ ସଠଳପୁର ଗ୍ରାମର ମନୋଜ ରାଉତଙ୍କ ପତ୍ନୀ ତନୁଜା (୩୦) ଓ ପୁଅ ବିକ୍ରମ ଆଦିତ୍ୟ (୫)। ଆତ୍ମହତ୍ୟା କରିଥିବା ତନୁଜାଙ୍କ ମାନସିକ ଅବସ୍ଥା ଠିକ୍ ନଥିବାରୁୁ ସେ ଏପରି କାଣ୍ଡ ଘଟାଇଛନ୍ତି ବୋଲି ତାଙ୍କ ସ୍ୱାମୀ ଓ ଶାଶୂ ଘର ଲୋକେ ଅଭିଯୋଗ କରିଛନ୍ତି।
ମନୋଜଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ତନୁଜାଙ୍କର ମାନସିକ ଅବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା। ପ୍ରଥମେ ସେ ପରିବାର ଲୋକଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହାପରେ ସେ ଚୁପ୍ଚାପ୍ ଶୋଇବା ଘରକୁ ଯାଇ କବାଟ ବନ୍ଦ କରିଥିଲେ। ଏହାର କିଛି ସମୟ ପରେ ଘର ପାଖ ଏକ ଗଛରେ ତନୁଜାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏହାର କିଛି ସମୟ ପରେ ଶିଶୁପୁତ୍ର ବିକ୍ରମ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ପୁଅକୁ ତଣ୍ଟି ଚିପି ହତ୍ୟା କରିବା ପରେ ତନୁଜା ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ମନୋଜ ଅଭିଯୋଗ କରିଛନ୍ତି। ମନୋଜଙ୍କ ବାପା ଓ ଭାଇ ମଧ୍ୟ ସମାନ କଥା କହିଛନ୍ତି। କିନ୍ତୁ ଏ ସଂପର୍କରେ ଥାନାରେ କେହି ଅଭିଯୋଗ କରିନାହାନ୍ତି। ଅନ୍ୟପଟେ ଘଟଣା ସଂପର୍କରେ କେବଳ ତନୁଜାଙ୍କ ବାପା ଓ ଭାଇଙ୍କୁ ଜଣାଇଦେଇ ସେମାନେ ଆସିବା ପୂର୍ବରୁ ରାତାରାତି ଗାଁ ଶ୍ମଶାନରେ ଶବଦାହ କରି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/burn.jpg)