ଝାରସୁଗୁଡ଼ା: ଝାରସୁଗୁଡା ଥାନା ଅନ୍ତର୍ଗତ ପୁରୁଣା ବସଷ୍ଟାଣ୍ଡ ଓଭର ବ୍ରିଜ ଉପରେ ଆଜି ଅପରାହ୍ଣରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜେିଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ବଢ଼େଇମୁଣ୍ଡା ରଙ୍ଗିଆପଡ଼ାର ରଞ୍ଜିତା ପ୍ରଧାନ(୪୫)। ଏନେଇ ରଞ୍ଜିତାଙ୍କ ସ୍ବାମୀଙ୍କ ଏତଲା ଆଧାରରେ ପୁଲିସ୍ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ କରୁଛି। ସେପଟେ, ଘଟଣାସ୍ଥଳରୁ ପୁଲିସ୍ ଏକ ନମ୍ବର ବିହୀନ କେଟିଏମ୍ ବାଇକ୍ ଜବତ କରିଥିବା ବେଳେ କେଟିଏମ୍ ଚଳାଉଥିବା ଯୁବକକୁ ଅଟକ ରଖିଛି। ସୂଚନା ଅନୁସାରେ, ଆଜି ଅପରାହ୍ଣରେ ରଞ୍ଜିତା କାମ ସାରି ଓଭରବ୍ରିଜ ଉପରେ ଚାଲି ଚାଲି ଆସୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା କେଟିଏମ୍ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।