ମହାବିଦ୍ୟାଳୟ ଅଧ୍ୟାପିକାଙ୍କୁ ଅସଦାଚରଣ, ଗାଁଲୋକ ଓ ଛାତ୍ର ମିଶି ଯୁବକଙ୍କୁ ଛେଚିଲେ

ଖୋର୍ଦ୍ଧା: କାଇପଦର ମହାବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କୁ କେତେକ ଯୁବକ ବୁଲେଟ୍ ଗାଡ଼ିରେ ପଛରେ ଗୋଡ଼ାଇ କମେଂଟ୍ ମାରିବା ଓ ଅସଦାଚରଣ କରିବା ଘଟଣାରେ ସ୍ଥାନୀୟ ଗ୍ରାମବାସୀ ଓ ମହାବିଦ୍ୟାଳୟ ଛାତ୍ରମାନେ ଏକଯୁଟ ହୋଇ ଅସଦାଚରଣ କରିଥିବା ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି । ଏହି ଘଟଣାରେ ଉଭୟ ପକ୍ଷରୁ ସଦର ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି ।

ମିଳିଥିବା ସୂଚନାନୁସାରେ, ଆଜି ଅପରାହ୍ଣରେ ତୋଟାପଡ଼ା-ପାନବରଜର କେତେକ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ମୋଟର ସାଇକଲରେ ମହାବିଦ୍ୟାଳୟ ନିକଟରେ ପହଂଚି ଛାତ୍ରୀମାନଙ୍କୁ କମେଂଟ୍ କରୁଥିଲେ । ଏହି ସମୟରେ ମହାବିଦ୍ୟାଳୟର ଜଣେ ଅଧ୍ୟାପିକା ସେଠାରେ ପହଂଚି ଏହାର ବିରୋଧ କରିବାରୁ ତାଙ୍କୁ ଯୁବକମାନେ ଗାଳିଗୁଲଜ କରିବା ସହ ଅଭଦ୍ର ଟିପ୍ପଣୀ ଦେଇଥିଲେ । ଏଥିରେ ଉକ୍ତ ମହାବିଦ୍ୟାଳୟର ଛାତ୍ର ଓ ସ୍ଥାନୀୟ ଗ୍ରାମବାସୀ ଏକତ୍ରିତ ହୋଇ ଉକ୍ତ ଅସାମାଜିକ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏହି ଘଟଣାରେ ରାତିରେ ଉଭୟ ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଛି । ମାଡ଼ ଖାଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକମାନେ ନିଜକୁ ନିଦେ୍ର୍ଦାଷ ବୋଲି ଦର୍ଶାଇ ତାଙ୍କୁ ବିନାକାରଣରେ ଆକ୍ରମଣ କରିଥିବା ଏତଲାରେ ଦର୍ଶାଇଛନ୍ତି । ଏପରିକି ମାଡ଼ ଖାଇଥିବା ଯୁବକଙ୍କ ମଧ୍ୟରୁ କେତେକ ସେହି ମହାବିଦ୍ୟାଳୟର ଛାତ୍ର ଓ ମହାବିଦ୍ୟାଳୟର କାର୍ଯ୍ୟରେ ଯାଇଥିଲେ ବୋଲି କହିଛନ୍ତି ।

ଅପରପକ୍ଷରେ ମହାବିଦ୍ୟାଳୟ କର୍ତୃପକ୍ଷ ଓ ଗ୍ରାମବାସୀଙ୍କ ପକ୍ଷରୁ ମଧ୍ୟ ପାଲଟା ଏତଲା ଦିଆଯାଇଛି । ଯୁବକମାନେ ଅଣଛାତ୍ର ଓ ନିୟମିତ ଭାବେ ମହାବିଦ୍ୟାଳୟକୁ ଆସି ଏଭଳି ବିଶୃଙ୍ଖଳା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସଦର ଥାନା ସହ ଯୋଗାଯୋଗ କରିବାରେ ଥାନାର ଭାରପ୍ରାପ୍ତ ଅଧିକାରୀ ବିଦିତା ନାୟକ କହିଛନ୍ତି ଉଭୟ ଗୋଷ୍ଠୀ ଲିଖିତ ଅଭିଯୋଗ କରିଛନ୍ତି ଓ ୭ଜଣଙ୍କୁ ଅଟକ ରଖାଯାଇଛି । ତେବେ ଖବର ଲେଖାଯିବା ବେଳକୁ ବିଧିବଦ୍ଧ ଭାବେ ପୁଲିସ ଏତଲା ରୁଜୁ କରିନଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର