ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର-ଇଚ୍ଛାପୁର ରାସ୍ତାର ସାବରପୁର ଛକ ନିକଟରେ ରହୁଥିବା ଜଣେ ମହିଳାଙ୍କୁ ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ହତ୍ୟାକରି ଘରୁ କଳାକନା ବୁଲାଇଛନ୍ତି। ଏହି ମହିଳା ଜଣକ ଡକାୟତଙ୍କ ସହ ଲଢ଼ିଥିଲେ ମଧ୍ୟ ନିଜ ପ୍ରାଣକୁ ବଞ୍ଚାଇ ପାରିନାହାନ୍ତି। ଭାଗ୍ୟକୁ ମହିଳାଙ୍କ ୧୨ ବର୍ଷର ଝିଅ ଦୁର୍ବୃତ୍ତଙ୍କ କବଳରୁ ବର୍ତ୍ତିଯାଇଛି।
ଏହି ମହିଳା ହେଲେ, ସାବରପୁର ଛକ ନିକଟରେ ଘରକରି ରହୁଥିବା ରବୀନ୍ଦ୍ର ବେହେରାଙ୍କ ପତ୍ନୀ ସସ୍ମିତା (୩୨ବର୍ଷ)। ରବୀନ୍ଦ୍ର ବେଙ୍ଗାଲୁରୁରେ ରହି କାମ କରୁଥିବା ବେଳେ ଘରେ ତାଙ୍କ ପତ୍ନୀଙ୍କ ସହିତ ଝିଅ ଚିନ୍ମୟୀ (୧୨ବର୍ଷ) ରହୁଥିଲେ। ଗତକାଲି ରାତି ପ୍ରାୟ ୨ଟା ସମୟରେ ୫ରୁ ଅଧିକ ଦୁର୍ବୃତ୍ତ ଘର କବାଟ ତାଡ଼ି ଭିତରେ ପଶିଥିଲେ। ଶବ୍ଦ ଶୁଣି ସସ୍ମିତା ନିଦରୁ ଉଠି ପଡ଼ିଥିଲେ। ଡକାୟତମାନେ ତାଙ୍କୁ ଏକ ଘରେ ପୂରାଇବାକୁ ଚେଷ୍ଟା କରିବା ବେଳେ ସସ୍ମିତା ବଡ଼ ପାଟିରେ ଚିତ୍କାର କରିବା ସହ ପାରୁପର୍ଯ୍ୟନ୍ତ ପ୍ରତିରୋଧ କରିଥିଲେ। ଫଳରେ ଡକାୟତମାନେ ଧାରୁଆ ଅସ୍ତ୍ରରେ ସସ୍ମିତାଙ୍କ ବେକକୁ ହାଣି ପକାଇଥିଲେ ଏବଂ ଘରୁ ସୁନାରୁପା ଅଳଙ୍କାର ଓ ନଗଦ କିଛି ଟଙ୍କା ନେଇ ସେଠାରୁ ଚମ୍ପଟ ମାରିଥିଲେ।
ରକ୍ତ ଜୁଡୁବୁଡୁ ଅବସ୍ଥାରେ ସସ୍ମିତା ଘରେ ପଡ଼ି ଚିତ୍କାର କରୁଥିବା ବେଳେ ପାଖରେ ଶୋଇଥିବା ଝିଅର ନିଦ ଭାଙ୍ଗି ଯାଇଥିଲା। ଝିଅଟି ସଙ୍ଗେସଙ୍ଗେ ଧାଇଁଯାଇ ପାଖ ପଡୋଶୀ ଓ ମାମୁ ଘର ଲୋକଙ୍କୁ ଡାକିବାପରେ ଗୁରୁତର ଅବସ୍ଥାରେ ସସ୍ମିତାଙ୍କୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନା ଏବଂ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ସସ୍ମିତାଙ୍କୁ କଟକ ନେଇ ଯାଇଥିଲେ ପରିବାର ଲୋକ। ଆଜି ସକାଳେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ସସ୍ମିତାଙ୍କର ପ୍ରାଣବାୟୁ ଉଡ଼ିଯାଇଛି। ବାସୁଦେବପୁର ପୁଲିସ ଆଜି ଘଟଣାସ୍ଥଳକୁ ଆସି ତଦନ୍ତ କରିବା ସହିତ ଘଟଣାର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ସସ୍ମିତାଙ୍କ ଝିଅର ବୟାନ ରେକର୍ଡ କରିଛି। ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଛାନ୍ଭିନ୍ କରାଯାଇଥିଲେ ମଧ୍ୟ ଅପରାଧୀଙ୍କ ସଂପର୍କରେ କୌଣସି ସୁରାକ ମିଳିନାହିଁ। ଡକାୟତଙ୍କ ହାତରେ ସସ୍ମିତା ପ୍ରାଣ ହରାଇବା ପରେ ଘର ଲୋକ ନିର୍ବାକ୍ ହୋଇ ଯାଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଭୟର ବାତାବରଣ ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/sfhshsfhsf.jpg)