ପ୍ରେମିକଙ୍କ ଚିଠି ବଦଳାଇଦେଲା ମନ : ନକ୍ସଲ ସଂଗଠନ ଛାଡ଼ିଲେ ମହିଳା ମାଓବାଦୀ

ମାଲକାନଗିରି : ନକ୍ସଲ ସଂଗଠନରେ ପ୍ରେମ ବୋଲି କୌଣସି ଶଦ୍ଦ ନଥାଏ। ସଂଗଠନରେ ମହିଳା ନକ୍ସଲ ଏବଂ ପୁରୁଷ ନକ୍ସଲ ମଧ୍ୟରେ ପ୍ରେମ କରିବା ଏକ ପ୍ରକାର ମନା। ସଂଗଠନରେ ଯେଭଳି ମହିଳା ନକ୍ସଲ ଗର୍ଭବତୀ ନ ହୁଅନ୍ତି ତେଣୁ ପୁରୁଷ ନକ୍ସଲମାନଙ୍କୁ ବନ୍ଧ୍ୟାକରଣ ମଧ୍ୟ କରାଯାଇଥାଏ। ଏହା ପୁରଷ ନକ୍ସଲ ନ ଚାହିଁଲେ ମଧ୍ୟ ସଂଗଠନର ନିୟମ ଅନୁଯାୟୀ ବନ୍ଧ୍ୟାକରଣ କରିବାକୁ ବାଧ୍ୟ ହୋଇଥାନ୍ତି। ତେବେ ପ୍ରେମ ଆଗରେ ହାର୍ ମାନୁଛି ଆତଙ୍କର ଭାଷା। କିଛି ଦିନ ତଳେ ନକ୍ସଲ ସଂଗଠନରେ ଏକ ପ୍ରେମୀଯୁଗଳ ନିଜ ପ୍ରେମକୁ ସଫଳ କରିବା ପାଇଁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହାପରେ ଦୁହେଁ ରାଜ୍ୟ ସରକାରଙ୍କ ସହାୟତାରେ ବିବାହ କରିଥିଲେ। ସେଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଛି ପଡ଼ୋଶୀ ଛତିଶଗଡ଼ର ଦନ୍ତେଵାଡ଼ାରେ। ଖାସ୍ ପ୍ରେମ ପାଇଁ ଜଣେ ସକ୍ରିୟ ମହିଳା ନକ୍ସଲ ଦନ୍ତେଵାଡ଼ା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ଏହି ମହିଳା ନକ୍ସଲ ଜଣକ ହେଲେ ଜୟ ଇସ୍ତାମ। ତାଙ୍କ ନାମରେ ସରକାର ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ। ସଂଗଠନରେ ସେ ଇନ୍ଦ୍ରାବତୀ ଏରିଆ କମିଟିର ସଦସ୍ୟା ଏବଂ ଏସିଏମ୍‌ ପଦରେ ଥିଲେ। ତାଙ୍କ ପ୍ରେମିକ ଲକ୍ଷ୍ମଣ ମଧ୍ୟ ପୂର୍ବରୁ ଜଣେ କ୍ୟାଡର ନକ୍ସଲ ଥିଲେ। ସଂଗଠନରେ ପୂର୍ବ ଭଳି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ କାମ କରାଯାଉନଥିବା ଏବଂ ନିରୀହ ଲୋକଙ୍କୁ ଟାର୍ଗେଟ କରାଯାଉଥିବା ଦର୍ଶାଇ କିଛିଦିନ ତଳେ ସେ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ତେବେ ନିଜର ପ୍ରେମିକା ଜୟଙ୍କୁ ମଧ୍ୟ ଜଙ୍ଗଲରୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଲାଗି ସେ ଅନବରତ ଚେଷ୍ଟା ଜାରି ରଖିଥିଲେ। ଗତ ଫେବ୍ରୁଆରି ୧୪ ତାରିଖ ଭାଲେଣ୍ଟାଇନ ଡେ’ରେ ସେ ପ୍ରେମିକା ଜୟଙ୍କୁ ଛତିଶଗଡ଼ି ଭାଷାରେ ଏକ ଚିଠି ଲେଖିଥିଲେ। ତାଙ୍କୁ ସେ ଭଲ ପାଆନ୍ତି ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ତେଣୁ ସେ ତୁରନ୍ତ ସଂଗଠନ ଛାଡ଼ି ତାଙ୍କ ନିକଟକୁ ଚାଲିଆସନ୍ତୁ ବୋଲି ଭାବପ୍ରବଣ ହୋଇ ଲେଖିଥିଲେ ଲକ୍ଷ୍ମଣ। ଏହି ପ୍ରେମ ଚିଠି ପାଇବା ପରେ ଜୟ ଏପରି ଆତ୍ମବିଭୋର ହୋଇ ଯାଇଥିଲେ ଯେ ସଂଗଠନ ଛାଡ଼ିବାକୁ ନିଷ୍ପତ୍ତି ନେଇ ଯାଇଥିଲେ। ଶେଷରେ ସୁଯୋଗ ଦେଖି ଆଜି ସେ ଦନ୍ତେଵାଡା ପୋଲିସ ଏସ୍‌ପି ଅଭିଷେକ ପଲ୍ଲବଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ନିଜ ପ୍ରେମିକକୁ ପାଇବା ପାଇଁ ସେ ସଂଗଠନକୁ ଛାଡିଥିଲେ ବୋଲି କହିବା ସହ ଲକ୍ଷ୍ମଣଙ୍କ ଚିଠିକୁ ସାର୍ବଜନୀନ କରିଥିଲେ।

ଏହି ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଛି। ପୂର୍ବରୁ ମଧ୍ୟ ଜଣେ ଭାଇ ସଂଗଠନର ଆଗଧାଡ଼ିର ନେତ୍ରୀ ଥିବା ତାଙ୍କ ଭଉଣୀକୁ ଚିଠି ଲେଖି ସଂଗଠନ ଛାଡ଼ିବାକୁ ଅନୁରୋଧ କରିଥିଲେ। କିନ୍ତୁ ସେ ଏଥିରେ ସଫଳ ହୋଇ ପାରିନଥିଲେ।

ସମ୍ବନ୍ଧିତ ଖବର