ନୂଆ ସମ୍ଭାବନାର ବାର୍ତ୍ତା : ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ ସମ୍ବର୍ଦ୍ଧିତ

ବିଶ୍ୱ ମହିଳା ଦିବସ

ମାଲକାନଗିରି : ମାଲକାନଗିରି ପୁଲିସର ଅଭିନବ ପ୍ରୟାସ। ଆତ୍ମସପର୍ମଣ କରିଥିବା ମହିଳା ମାଓବାଦୀ ପାଳିଲେ ମହିଳା ଦିବସ। ଦିନେ ବନ୍ଧୁକ ମୁନରେ ଦାବି ହାସଲ ପାଇଁ ଲଢ଼େଇ କରୁଥିବା ଏହି ମହିଳା ମାଓବାଦୀ ଏଥର ଦେଇଛନ୍ତି ମହିଳା ସଶକ୍ତୀକରଣର ବାର୍ତ୍ତା। ନିଜ ଅନୁଭୂତିକୁ ବର୍ଣ୍ଣନା କରିବା ସହ ସାଥୀ ମହିଳା ନକ୍ସଲଙ୍କୁ ସଂଗଠନ ଛାଡ଼ିବା ପାଇଁ ଆହ୍ବାନ କରିଛନ୍ତି।

ସଂଗଠନରେ ସାମିଲ ହେବାପରେ ବଦଳି ଯାଇଥିଲା ଜୀବନର ଗତି। ଜଂଗଲରେ ବିତାଉଥିଲେ ଦୁର୍ବିଷହ ଜୀବନ। ଭୟ ଏବଂ ଅନିଶ୍ଚିତତା ସତ୍ତ୍ବେ ଜଙ୍ଗଲରେ ପାଳନ କରୁଥିଲେ ମହିଳା ଦିବସ। ଏହି ଦିନ ଆଖପାଖ ଗାଁକୁ ଯାଇ ଗ୍ରାମବାସୀଙ୍କ ସହ ପୂରା ଦିନ ବିତାଉଥିଲେ। ଗାଁର ମହିଳାମାନଙ୍କୁ ସ୍ବାବଲମ୍ବୀ ହେବାକୁ ବି ପରାମର୍ଶ ଦେଉଥିଲେ। ଏହାବ୍ୟତୀତ ଗ୍ରାମବାସୀଙ୍କୁ ନେଇ ରାଲି କରିବା ସହ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଥିଲେ ବୋଲି ମହିଳା ଦିବସ ପାଳନ ଅବସରରେ କହିଛନ୍ତି ଆତ୍ମସମର୍ପଣ କରିଥିବା ଆଗ ଧାଡ଼ିର ମାଓନେତ୍ରୀ ଅରୁଣା। ମହିଳାଙ୍କୁ ସମାନ ଅଧିକାର ଦେବା ସହ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ବନ୍ଦ କରିବା ପାଇଁ ଦାବି କରି ଆସୁଥିଲୁ। ଆଜି ଏହି ଦିବସକୁ ସାଂଗସାଥୀଙ୍କ ମେଳାରେ ପୁଣି ପାଳନ କରିଛୁ। ହେଲେ ଏଥିରେ ଅଛି ଭିନ୍ନତା ଏବଂ ସ୍ବାଧୀନତା। ମୁଖ୍ୟସ୍ରୋତରେ ସାମିଲ ହେବା ପରେ ବିଗତ ଦିନର ସବୁ ସ୍ମୃତିକୁ ଭୁଲିଯାଇଛୁ ବୋଲି ଅରୁଣା କହିଛନ୍ତି।

ଏଥିସହ ଜଂଗଲରେ କଟିଥିବା ଜୀବନର ସବୁଠାରୁ କଷ୍ଟ ସମୟକୁ ମଧ୍ୟ ବଖାଣିଥିଲେ। ବତ୍ତର୍ମାନ ପରିବାର ସହ ହସଖୁସିରେ ଜୀବନ କାଟୁଛୁ। ଜଂଗଲରେ ଥିବା ବେଳେ କେବଳ ଭୟ ଲାଗି ରହିଥିଲା। କେତେବେଳେ ପୁଲିସ ଗୁଳିରେ ମୃତ୍ୟୁ ହେବ ଜାଣିନଥିଲୁ। ବହୁ ମହିଳା ନକ୍ସଲ ପୁଲିସ ଗୁଳିରେ ମୃତ୍ୟୁବରଣ କରିଛନ୍ତି। କାରଣ ଯେତେବେଳେ ବି ପୁଲିସ ଚଢ଼ଉ କରେ ମହିଳା ନକ୍ସଲଙ୍କ ଢାଲ କରି ଆଗକୁ ଛାଡ଼ି ଦିଆଯାଏ। ଏହାର ସୁଯୋଗ ନେଇ କ୍ୟାଡର ଏବଂ ପୁରୁଷ ନକ୍ସଲ ଖସି ଯାଉଥିଲେ। ତେଣୁ ଅଧିକାଂଶ ଅପରେସନରେ ମହିଳା ମାଓବାଦୀ ହିଁ ପ୍ରାଣ ହରାଇବାର ନଜିର ରହିଛି। ତେଣୁ ଜଂଗଲରେ ଥିବା ସମସ୍ତ ମହିଳା ମାଓବାଦୀ ମୁଖ୍ୟସ୍ରୋତକୁ ଫେରି ଆସିବାକୁ ମହିଳା ଦିବସରେ ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ ଅନୁରୋଧ କରିଥିଲେ। ଏହି ଅବସରରେ ମାଲକାନଗିରି ଏସ୍‌ପି ଋଷିକେଶ ଖିଲାରୀ ଆତ୍ମସମର୍ପଣ କରିଥିବା ସମସ୍ତ ମହିଳା ମାଓବାଦୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର