ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଅଞ୍ଚଳା ଗ୍ରାମ ପଞ୍ଚାୟତର ସରପଞ୍ଚ ରମେଶ ମାଝୀ ତାଙ୍କ ନିଜ ପଞ୍ଚାୟତ ସିନ୍ଧିକାଗୁଡ଼ା ଗ୍ରାମର ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରି ହରଡ଼ଘଣାରେ ପଡିଛନ୍ତି। ଏଥି ସହ ସରପଞ୍ଚଙ୍କ ବାପା ଓ ତାଙ୍କ ଦାଦା ମଧ୍ୟ ଦୁର୍ବ୍ୟବହାର କରିଥିବା ନେଇ ଜଣେ ମହିଳା ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି। ଏହା ଏକ ରାଜନୈତିକ ବିରୋଧାଭାସ ହୋଇଥିବା ବେଳେ ସରପଞ୍ଚଙ୍କ ନାମରେ ଏତଲା ପରେ ଡାବୁଗାଁ ବ୍ଲକରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ସୂଚନା ଅନୁଯାୟୀ ଗତ ଶୁକ୍ରବାର ଦିନ ୧୧ ଘଣ୍ଟା ସମୟରେ ଅଞ୍ଚଳା ପଞ୍ଚାୟତ ଅନ୍ତର୍ଗତ ସିନ୍ଧିକାଗୁଡ଼ାରେ ରହୁଥିବା ସରପଞ୍ଚ ରମେଶ ମାଝୀଙ୍କ ଘରେ ସେହି ଗ୍ରାମର ଦୁଇ ଭାଇ ନରସିଂହ ଭତରା ଓ କଏନ ସିଂ ଭତରା ପହଞ୍ଚି ସରପଞ୍ଚଙ୍କ ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀଙ୍କୁ ବିଭିନ୍ନ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତୋ ସ୍ଵାମୀ କୁଆଡେ ଗଲା ତାକୁ ଆଜି ମାରିବୁ ବୋଲି ଧମକ ଚମକ ଦେଇ ଦୁର୍ବ୍ୟବହାର କରିଥିଲେ। ସେହିଦିନ ରାତି ୮ଟାରେ ସରପଞ୍ଚ ରମେଶ ମାଝୀ ତାଙ୍କ ବାପା ଭାସ୍କର ମାଝୀ ଓ ଦାଦା ଭଗବାନ ମାଝୀ ସେହି ସିନ୍ଧିକାଗୁଡ଼ା ଗ୍ରାମର ନରସିଂହ ଭତରାଙ୍କ ସ୍ତ୍ରୀଙ୍କୁ ତା ସ୍ବାମୀ ଅନୁପସ୍ଥିତିରେ ଘରକୁ ଯାଇ ତୋ ସ୍ଵାମୀ କାହିଁ ତାକୁ ଆଜି ମାରିଦେବୁ ବୋଲି କହିବା ସହ ମହିଳାଙ୍କୁ ଗାଳି ଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିବା ନେଇ ମହିଳା ଜଣକ ଡାବୁଗାଁ ଥାନାରେ ଏତଲା ଦେଇଥିଲେ।
ସେହିପରି ସରପଞ୍ଚଙ୍କ ସ୍ତ୍ରୀ ମଧ୍ୟ ତାଙ୍କ ସ୍ଵାମୀଙ୍କ ଅନୁପସ୍ଥିତିରେ ଦୁଇଭାଇ ଆସି ସ୍ବାମୀଙ୍କୁ ମାରିବା ଧମକ ଦେବା ସହ ଦୁର୍ବ୍ୟବହାର କରିଥିବା ନେଇ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି। ତେବେ ଏହା ଏକ ରାଜନୈତିକ ଶତ୍ରୁତା ଥିବାରୁ ଉଭୟ ପକ୍ଷ ଗ୍ରାମରେ ରାଜିନାମା ନିମନ୍ତେ ବ୍ଲକର ତୁଙ୍ଗ ନେତାମାନଙ୍କୁ ନେଇ ବୈଠକ କରିଥିଲେ ସୁଦ୍ଧା ଏହା ଗ୍ରାମରେ ସମାଧାନ ହୋଇ ପାରି ନ ଥିଲା। ଶେଷରେ ଦୁଇ ପକ୍ଷର ଏତଲାକୁ ଭିତ୍ତି କରି ଡାବୁଗାଁ ପୁଲିସ ପୃଥକ୍ ପୃଥକ୍ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ତଦନ୍ତ କରୁଛନ୍ତି ପୁଲିସ ଏସ ଆଇ ବିଜୟ କୁମାର ସାହୁ। ତେବେ ଡାବୁଗାଁ ବ୍ଲକରେ ଜଣେ ନିର୍ବାଚିତ ଜନପ୍ରତିନିଧି ସରପଞ୍ଚ ତାଙ୍କ ପଞ୍ଚାୟତର ମହିଳାଙ୍କୁ ଦୁର୍ବ୍ୟବହାର କରି ହରଡ଼ଘଣାରେ ପଡ଼ିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।