ନଦୀପଠାରୁ ମହିଳା ନିଖୋଜ

ଅଭିମନ୍ୟୁବାଲିଆ: ବରୀ ବ୍ଲକ୍ ବିଂଝାରପୁର ଥାନା ଅନ୍ତର୍ଗତ ବୋଦୁଅ ପଞ୍ଚାୟତ ଏରଡ଼ା ଗ୍ରାମର ଜଣେ ମହିଳା ନଦୀପଠାରୁ ନିଖୋଜ ହୋଇଯାଇଛନ୍ତି। ମହିଳା ଜଣକ ହେଲେ ଏରଡ଼ା ଗ୍ରାମର ଶେଖର ମଲ୍ଲିକଙ୍କ ପତ୍ନୀ ମିନତି(୨୮)। ସେ ଆଜି ଭୋରୁ ତାଙ୍କ ଶାଶୂଙ୍କ ସହିତ ଖରସ୍ରୋତାର ଶାଖା ଦୁଧେଇ ନଦୀ ପଠାକୁ ଶୌଚ ହେବାପାଇଁ ଯାଇଥିଲେ। ଏହା ପରଠାରୁ ତାଙ୍କର କୌଣସି ପତ୍ତା ମିଳିନାହିଁ। ନଦୀ ପଠାରେ ନପାଇ ତାଙ୍କଶାଶୂ ଫେରିଆସି ମିନତିଙ୍କୁ ଘରେ ଖୋଜିଥିଲେ।

ତାଙ୍କ ଠାରୁ ଖବର ପାଇ ଗ୍ରାମବାସୀ ନଦୀରେ ପଶି ମିନତିଙ୍କୁ ଖୋଜାଖୋଜି କରିଥିଲେ। ପରେ ବରୀ ଅଗ୍ନିଶମ ବାହିନୀ କର୍ମଚାରୀ ମଧ୍ୟ ସେଠାରେ ପହଞ୍ଚିଥିଲେ। ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ପ୍ରକାଶ ଯେ, ୮ ବର୍ଷ ତଳେ ଶେଖର ଭୁବନେଶ୍ବରର ମିନତିଙ୍କୁ ପ୍ରେମ ବିବାହ କରିଥିଲେ। ଗୋଟିଏ ପୁଅ ଓ ଗୋଟିଏ ଝିଅ ସହ ମିନତି ଶାଶୂ ଓ ଶ୍ବଶୁରଙ୍କ ପାଖରେ ଏରଡ଼ାରେ ରହୁଥିବା ବେଳେ ଶେଖର ଭୁବନେଶ୍ବରସ୍ଥିତ ଶ୍ବଶୁର ଘରେ ରହି କାମ କରୁଥିଲେ। ଅନ୍ୟପକ୍ଷରେ ମିନତିଙ୍କ ମୋବାଇଲ୍ ଫୋନ୍‌ ନିଖୋଜ ହୋଇଯାଇଥିବା ଓ ନମ୍ବର ସୁଇଚ୍‌ ଅଫ୍‌ ଥିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର