ନାଇଟ୍‌ ବସ୍‌ରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ; ଯୁବକ ଅଟକ, ବସ୍‌ କର୍ମଚାରୀଙ୍କୁ ମାଡ଼

ରାଉରକେଲା: କଟକରୁ ରାଉରକେଲା ଆସୁଥିବା ନାଇଟ୍‌ ସୁପର ବସ୍‌ରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ କରିବାକୁ ନେଇ ସେକ୍ଟର-୨ ବସ୍‌ଷ୍ଟାଣ୍ଡରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକ ଓ ବସ୍ତିବାସିନ୍ଦା ଅଭିଯୁକ୍ତ ଯୁବକ ଓ ବସ୍‌ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ସେକ୍ଟର-୩ ପୁଲିସ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଯୁବକକୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ମହିଳାଙ୍କ ଲିଖିତ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ମୁତାବକ ଗତକାଲି କାକଟପୁର ଭାୟା କଟକ ହୋଇ ଘରୋଇ ଯାତ୍ରୀବାହୀ ବସ୍‌ ‘ଲଲ୍‌ଭି’ ରାଉରକେଲା ଆସୁଥିଲା। କଟକରୁ ଜଣେ ଯୁବକ ସମ୍ପର୍କୀଙ୍କ ବିବାହ କାର୍ଯ୍ୟରେ ଯୋଗଦେବାକୁ ସେହି ବସ୍‌ରେ ରାଉରକେଲା ଆସୁଥିଲେ। ତାଙ୍କ ଆଗ୍‌ ସିଟ୍‌ରେ ରାଉରକେଲା ଟିମ୍ବର କଲୋନିର ଜଣେ ମହିଳା ବସିଥିଲେ। ରାତିରେ ଯୁବକ ଜଣକ ମହିଳାଙ୍କୁ ବାରମ୍ବାର ଅସଦାଚରଣ କରିଥିଲେ। ଲୋକ ଲଜ୍ଜା ଭୟରେ ମହିଳା ଜଣକ କାହାକୁ କିଛି ନ କହି ଚୁପ୍‌ ହୋଇ ସିଟ୍‌ରେ ବସିଥିଲେ।

ଆଜି ସକାଳ ପ୍ରାୟ ସାଢ଼େ ୬ଟାରେ ସେକ୍ଟର-୨ ବସ୍‌ ଷ୍ଟାଣ୍ଡରେ ବସ୍‌ ପହଞ୍ଚିଥିଲା। ମହିଳା ବସ୍‌ରୁ ଓହ୍ଲାଇ ବସ୍ତିବାସିନ୍ଦାଙ୍କୁ ଏ ସଂକ୍ରାନ୍ତରେ ଜଣାଇଥିଲେ। ବସ୍ତିବାସିନ୍ଦା ବସ୍‌ଷ୍ଟାଣ୍ଡରେ ପହଞ୍ଚି ଉଭୟ ଯୁବକ ଓ ବସ୍‌ କର୍ମଚାରୀଙ୍କୁ ଗାଡିରୁ ବାହାରକୁ ଟାଣି ଆଣି ମାଡ଼ ମାରିଥିଲେ। ଖବର ପାଇ ସେକ୍ଟର-୩ ପୁଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର