ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଡେଙ୍ଗସର୍ଗିରେ ମହିଳାଙ୍କୁ ଅପହରଣ ପରେ ଦୁଷ୍କର୍ମ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ବରେଇପାଲି ଛକ ଉପରେ ଜଣେ ମହିଳା(୩୨)ଙ୍କୁ ଦୁଷ୍କର୍ମ ପରେ ବୀଭତ୍ସ ଭାବେ ହତ୍ୟା କରାଯିବା ଘଟଣା ପୁଣିଥରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ମୃତ ମହିଳା ଜଣଙ୍କ ଝାରସୁଗୁଡ଼ା ଜିଲ୍ଲା ମଙ୍ଗଳବଜାର ଅଞ୍ଚଳର ବୋଲି ଜଣାପଡ଼ିଛି। ମାତ୍ର ୬ ଦିନ ତଳେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ସୋମବାର ସକାଳୁ ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଏସ୍ପି କନୱର ବିଶାଳ ସିଂଙ୍କ ନେତୃତ୍ବରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଥିଲା। ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟ ରଶ୍ମିତା ନାଥଙ୍କ ଉପସ୍ଥିତିରେ ଶବର ପଞ୍ଚନାମା ପରେ ବ୍ୟବଚ୍ଛେଦ କରାଯାଇ ରାଜଘାଟଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ପ୍ରାଥମିକ ତଦନ୍ତ ଅନୁସାରେ ଅଇଁଠାପାଲି ପୁଲିସ ଭାରତୀୟ ଦଣ୍ଡବିଧି ଧାରା ୩୦୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ଏସ୍ପି ଶ୍ରୀ ସିଂ କହିଛନ୍ତି।
ମହିଳା ଜଣଙ୍କ ୫ ବର୍ଷ ପୂର୍ବେ ବରେଇପାଲିର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ସେମାନଙ୍କର ଏକ ଅଢ଼େଇ ବର୍ଷର ଶିଶୁ କନ୍ୟା ମଧ୍ୟ ରହିଛି। ମାତ୍ର ଉକ୍ତ ଯୁବକ ପ୍ରଥମରୁ ବିବାହିତ ହୋଇଥିବାରୁ ସେ ଅଧିକ ସମୟ ପ୍ରଥମ ସ୍ତ୍ରୀ ନିକଟରେ ରହୁଥିଲେ। ମାତ୍ର ୬ ଦିନ ପୂର୍ବେ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇ ଏହି ଯୁବକର ମୃତ୍ୟୁ ହୋଇଯିବାରୁ ମହିଳା ଜଣଙ୍କ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଥିଲେ। ଆଖଆଖ ଅଞ୍ଚଳରୁ ପଲିଥିନ୍ ଓ ବୋତଲ ସଂଗ୍ରହ କରି ଯାହା କିଛି ରୋଜଗାର କରୁଥିବା ସଂପୃକ୍ତ ମହିଳା ଜଣଙ୍କ ସ୍ବାମୀ ମୃତ୍ୟୁ ପରେ ୫ ଦିନ ହେବ ବରେଇପାଲିର କୌଣସି ଦୋକାନ କଡ଼ରେ ପଡ଼ି ଦିନ କାଟୁଥିଲେ। ରବିବାର ବରେଇପାଲିର ଗ୍ୟାରେଜ କ୍ୟାମ୍ପସ ଉପରବେଳା ବନ୍ଦ ରହୁଥିବାରୁ ସେହି ସ୍ଥାନ ବେଶ୍ ଶୂନଶାନ୍ ଥିଲା। ତେବେ ରାତି ପ୍ରାୟ ୧୧ଟା ଯାଏଁ ଛକ ଉପରେ ଏକ ଦୋକାନ କଡ଼ରେ ସେ ଶୋଇଥିବାର କିଛି ଲୋକ ମଧ୍ୟ ଦେଖିଥିଲେ। ପାରିପାର୍ଶ୍ବିକ ସ୍ଥିତିରୁ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ଦୁଷ୍କର୍ମ କରିଥିବା ଏବଂ ହୁଏତ ସେ ବିରୋଧ କରିବାରୁ ପାଖରେ ଥିବା ଟାୟାର ରଖିବାକୁ ଥିବା ଲୁହା ଖୁମ୍ବରେ ମୁଣ୍ଡକୁ ପିଟି ଦେଇଥିବା ଅନୁମାନ କରାଯାଉଛି।
ଏହାପରେ ମହିଳାଙ୍କୁ ଓଲଟା ପକାଇ ତାଙ୍କ ମୁଣ୍ଡରେ ବାଲିବସ୍ତା ଚାପି ଶ୍ବାସରୁଦ୍ଧ କରି ହତ୍ୟା କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ସକାଳ ୯ଟାରେ ତାଙ୍କୁ କ୍ଷତାକ୍ତ ଅବସ୍ଥାରେ ଲୋକେ ଦେଖିବା ପରେ ପୁଲିସ୍କୁ ସୂଚନା ଦେଇଥିଲେ।