ଏରସମା : ଜଗତ୍‌ସିଂହପୁରର ଏରସମା ଥାନା ଅନ୍ତର୍ଗତ କୁଂଜକୋଠି ଗ୍ରାମରେ ଏକ ଚାଞ୍ଚଲ୍ୟ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ସ୍ବାମୀ-ସ୍ତ୍ରୀ ଜଣେ ମହିଳାଙ୍କୁ ହତ୍ୟା କରିବା ସହିତ ମୃତଦେହକୁ ଖଣ୍ଡଖଣ୍ଡ କରି ହାଣିଛନ୍ତି। ୩ଟି ଜରି ଥଳିଆରେ ପୂରାଇ ଫିଙ୍ଗିଦେବାର ଯୋଜନାରେ ଥିବାବେଳେ ଧରାପଡ଼ିଯାଇଛନ୍ତି। ପୁଲିସ୍‌ ହତ୍ୟାକାରୀ ଦମ୍ପତିଙ୍କୁ ଗିରଫ କରିବା ସହିତ ଘଟଣାରେ ସମ୍ପୃକ୍ତ ଅନ୍ୟ ୪ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ନାତୁଣୀ ଏକୋଇଶା ପାଇଁ ଧାର୍‌ରେ ଟଙ୍କା ନ ମିଳିବା‌ରୁ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡ଼ିଛି।

Advertisment

ମୃତ ମହିଳା ‌ହେଲେ, ତୁଳସୀ ମଣ୍ଡଳ(୫୫)। ଏହି ହତ୍ୟାକାଣ୍ଡ ସମ୍ପର୍କରେ ତିର୍ତୋଲ ଏସ୍‌ଡିପିଓ ଦୀପକ କୁମାର ଜେନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଶ୍ରୀଜେନାଙ୍କ ସୂଚନା ଅନୁଯାୟୀ ତୁଳସୀଙ୍କ ଠାରୁ ସେହି ଗ୍ରାମର ବୁଲା ଦାସଙ୍କ ପୁଅ ସଞ୍ଜୟ କିଛିଦିନ ତଳେ ୪୦ ହଜାର ଟଙ୍କା ଧାର ନେଇଥିଲା। ଏପର୍ଯ୍ୟନ୍ତ ତାହା ପରିଶୋଧ କରି ନଥିଲା। ଏହାସତ୍ତ୍ବେ ବି ନିଜ ନାତୁଣୀ (ଝିଅର ଝିଅ)ର ଏକୋଇଶିଆ ପୂଜା ପାଇଁ ଆଉ କିଛି ଟଙ୍କା ଧାର ମାଗି ନିରାଶ ହୋଇଥିଲା। ତେଣୁ, ତୁଳସୀ ଉପରେ ରାଗ ରଖି ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା ସଞ୍ଜୟ।

publive-image

ଯୋଜନା ଅନୁସାରେ ଗତକାଲି ସଞ୍ଜୟର ସ୍ତ୍ରୀ ସବିତା ଦିନ ପ୍ରାୟ ୧୨ଟା ସମୟରେ ତଳସୀଙ୍କୁ ଘରକୁ ଡାକି ଆଣିଥିଲା। ଏହାପରେ ଦୁହେଁ ମିଶି ତୁଳସୀଙ୍କୁ ହତ୍ୟା କରିଥିଲେ। ମୃତଦେହକୁ ଖଣ୍ଡଖଣ୍ଡ କରି ୩ଟି ଥଳିଆରେ ବାନ୍ଧି ଘରେ ଲୁଚାଇ ରଖିଥିଲେ। ଅପରାହ୍ନ ୪ଟାରେ ସେମାନେ ପାଖ ଗାଁରେ ନାତୁଣୀର ଏକୋଇଶିଆ ପୂଜାରେ ଯୋଗଦେଇ ଘରକୁ ଫେରିଥିଲେ। ସେତେବେଳକୁ ତୁଳସୀଙ୍କ ଘରଲୋକ ତାଙ୍କୁ ନପାଇ ଖୋଜାଖୋଜି ଆରମ୍ଭ କରିଥିଲେ। ସଞ୍ଜୟ ଘର ତାଲା ପଡ଼ିଥିବା ଓ ତା’ ସହ ଯୋଗାଯୋଗ ନହେବାରୁ ସନ୍ଦେହରେ ତୁଳସୀଙ୍କ ପୁଅ ଏରସମା ଥାନାକୁ ଜଣାଇଥିଲେ। ଥାନା ଅଧିକାରୀ ତୁରନ୍ତ ପାଟ୍ରୋଲିଂ ଦଳକୁ ସେଠାକୁ ପଠାଇଥିଲେ। ଖୋଜାଖୋଜି ଚାଲିଥିବା ବେଳେ ସଞ୍ଜୟ ନାତୁଣୀ ଘରୁ ସପରିବାର ଫେରିଥିଲା। ପୁଲିସ୍‌ ଓ ଗାଁ ଲୋକଙ୍କୁ ଦେଖି ଅନ୍ଧାରର ସୁଯୋଗ ନେଇ ସେ ଫେରାର ହୋଇଯାଇଥିଲା।

ପୁଲିସ୍‌ ତାର ପତ୍ନୀ ସବିତା ଓ ନାବାଳକ ପୁଅକୁ ଥାନାକୁ ନେଇ ଯାଇଥିଲା। କିନ୍ତୁ ସବିତା ସଞ୍ଜୟ ବିଷୟରେ ମିଛ କଥା କହି ଘଟଣାକୁ ଏଡ଼ାଇବାକୁ ଚେଷ୍ଟା କରିବାରୁ ସନ୍ଦେହ ବଢ଼ିଥିଲା। ଗାଁ ଲୋକ ବି ଏକାଠି ହୋଇ ତା’ ଘରକୁ ରାତିତମାମ ଘେରାବନ୍ଦୀ କରି ରଖିଥିଲେ। ସକାଳେ କବାଟ ଫାଙ୍କରେ ରକ୍ତଛିଟା ପଡ଼ିଥିବା ଦେଖି ପୁଲିସ୍‌ର ସନ୍ଦେହ ବଢ଼ିଥିଲା। ଏଣେ ଖୋଜାଖୋଜି ବେଳେ ନିକଟସ୍ଥ କନାଗୋଳି ଗ୍ରାମର ଜଣଙ୍କ ପାଇଖାନା ଘରେ ସଞ୍ଜୟ ଲୁଚିଥିବାର ଖବର ମିଳିଥିଲା। ପୁଲିସ ସେଠାରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ସଞ୍ଜୟକୁ ଧରିଥିଲା।

ଘଟଣାସ୍ଥଳରେ ସକାଳେ ଏସ୍‌ଡିପିଓ ସାଇଣ୍ଟିଫିକ୍‌ ଟିମ୍‌ ସହ ପଂହଚି ଶବ ଉଦ୍ଧାର କରିଥିଲେ। ହତ୍ୟାରେ ବ୍ୟବହୃତ କଟୁରୀ, ଶାବଳକୁ ମଧ୍ୟ ଜବତ କରାଯାଇଛି। ହତ୍ୟାପରେ ତୁଳସୀଙ୍କ ଶବକୁ ଅଭିଯୁକ୍ତ ଗୋଡ଼ପଟୁ ଗୋଟିଏ ଥଳିଆରେ ଓ ମୁଣ୍ଡ ପଟୁ ଅନ୍ୟ ଏକ ଥଳିଆରେ ଭର୍ତ୍ତି କରି ପୂରା ଶବକୁ ବାନ୍ଧି ଅନ୍ୟ ଏକ ବଡ଼ ଅଖାରେ ଭର୍ତ୍ତି କରିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତୁଳସୀଙ୍କ ବଡପୁଅ ଭବେଶ ମଣ୍ତଳ ଏରସମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏହି ଦମ୍ପତିଙ୍କୁ ଗିରଫ କରିଥିବା ବେଳେ ଆମ୍ବିକିର ନାରାୟଣ କାଣ୍ତି, ପାଚେରା ଗାଁର ବିମ୍ବାଧର ସ୍ବାଇଁ ଓ ସଂଜୟ ଦାସର ଦୁଇଭାଇ ଅଜୟ ଦାସ ଓ ବିଜୟ ଦାସଙ୍କୁ ଅଟକ ରଖିଛି।