ଭୋଜି ବଚସାରୁ ହତ୍ୟାକାଣ୍ଡ: ଫାର୍ସା ଚୋଟରେ ମହିଳା ମୃତ, ସ୍ବାମୀ, ପୁଅ ଗୁରୁତର

ପୁଲିସର ତନାଘନା, ୪ ଅଟକ

ନରସିଂହପୁର : ନରସିଂହପୁର ଥାନା କାଠଖୁଣ୍ଟ ଗ୍ରାମରେ ଭୋଜି ପରର ବଚସାକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ୩ ଜଣଙ୍କୁ ଫାର୍ସାରେ ଆକ୍ରମଣ କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଦୁଇ ଜଣ (ବାପ-ପୁଅ) ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ନରସିଂହପୁର ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, କାଠଖୁଣ୍ଟ ଗ୍ରାମର ଆଲୋକ ମହାଳିକ ଓ ଅର୍ଦ୍ଧେନ୍ଦୁ ଓରଫ ବାଦଲ ମହାଳିକ ମିଶି ଗତକାଲି ଗ୍ରାମ ନିକଟରେ ଭୋଜି କରୁଥିଲେ। ଭୋଜି ଖାଇସାରି ବିଳମ୍ବିତ ରାତିରେ ଘରକୁ ଫେରିବା ସମୟରେ ଦୁହିଁଙ୍କ ଭିତରେ କୌଣସି ପୂର୍ବ ଘଟଣାକୁ ନେଇ କଥା କଟାକଟି ହୋଇଥିଲା। ଏହା କିଛି ସମୟ ଭିତରେ ତୀବ୍ର ରୂପ ଧାରଣ କରିଥିଲା ଓ ବାଦଲ ଉତ୍ତ୍ୟକ୍ତ ହୋଇ ନିଜ ଘରୁ ଏକ ଫାର୍ସା ଧରି ଆଲୋକ ଘର ନିକଟରେ ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲା। ସେଠାରେ ଉପସ୍ଥିତ ଥିବା ଆଲୋକଙ୍କ ମା’ ବିନୋଦିନୀ ଓ ବାପା ଶିବ ବାଦଲକୁ ରୋକିଥିଲେ। ହେଲେ ବାଦଲ୍‌ ସେମାନଙ୍କୁ ବି ଫାର୍ସାରେ ଚୋଟ ମାରିଥିଲା। ଆକ୍ରମଣରେ ଆଲୋକ, ତାଙ୍କ ମା’ ବିନୋଦିନୀ ଓ ବାପା ଶିବ ଗୁରୁତର ଆହତ ହୋଇଥିଲେ। ପାଟିତୁଣ୍ଡ ଶୁଣି ଗାଁ ଲୋକେ ଦୌଡ଼ି ଆସିଥିଲେ ଓ ତୁରନ୍ତ ସମସ୍ତ ଆହତଙ୍କୁ ନରସିଂହପୁର ମେଡିକାଲ ନେଇଯାଇଥିଲେ। ତେବେ ଡାକ୍ତରଖାନାରେ ଆଲୋକଙ୍କ ମା’ ବିନୋଦିନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଆଲୋକ ଓ ତାଙ୍କ ବାପା ଶିବଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ଡାକ୍ତରଖାନା ପଠାଇ ଦେଇଥିଲେ।

କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍‌ପି ପ୍ରଦ୍ୟୁମ୍ନ କୁମାର ଜେନା, ଆଠଗଡ଼ ଏସ୍‌ଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକ, ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡ଼ିଆ, ସାଇଣ୍ଟିଫିକ୍‌ ଟିମ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଆଲୋକଙ୍କ ପତ୍ନୀ ଟିକିନା ନାୟକ (୨୨) ଏ ନେଇ ନରସିଂହପୁର ଥାନାରେ ଅଭିଯୋଗ କରି ବାଦଲ ମହାଳିକ, ତାଙ୍କ ବାପା ବିରଞ୍ଚି, ମା’ ସବିତା, ଭାଇ ଭୀମ, ବୁଲୁ ଓ ଭାଉଜ ପୂଜା ମିଶି ମିଳିତ ଭାବେ ଆକ୍ରମଣ କରିଥିବା ଦର୍ଶାଇଛନ୍ତି। ଅଭିଯୋଗ ଆଧାରରେ ନରସିଂହପୁର ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ଓ ୪ ଜଣକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ବୋଲି ଥାନା ଅଧିକାରୀ ଶ୍ରୀ ଗରଡ଼ିଆ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର