ସୋହେଲା : ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ଚିଚିଣ୍ଡା ଗ୍ରାମରେ ଘରେ ଏକାକୀ ରହୁଥିବା ଜଣେ ମହିଳାଙ୍କ ମୃତଦେହ ମିଳିଛି। ମୃତକ ଜଣକ ହେଲେ ପୁଷ୍ପାଞ୍ଜଳି ନାଏକ। ମଂଗଳବାର ଦିନରୁ ସେ ଘରୁ ବାହାରୁ ନଥିଲେ। ଘରୁ ଦୁର୍ଗନ୍ଧ ବାହାରୁଥିବା ନେଇ ଗ୍ରାମବାସୀ ପୁଲିସ୍କୁ ଖବର ଦେଇଥିଲେ। ବନ୍ଦ ଘରୁ ପୁଷ୍ପାଞ୍ଜଳିଙ୍କ ମୃତଦେହ ପଡ଼ିଥିବା ଏବଂ ମୁଣ୍ଡରେ ଗଭୀର କ୍ଷତ ଥିବା ଦେଖିବାକୁ ମିଳିଥିଲା। ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ପୁଷ୍ପାଞ୍ଜଳି ଗାଁ ମଝିରେ ଥିବା ନିଜ ଘରେ ଏକାକୀ ରହୁଥିଲେ। ସ୍ୱାମୀ ସୁରୁବାବୁ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରି ବିଜେପୁର ଥାନା ବରମୁଣ୍ଡା ଗ୍ରାମରେ ରହୁଥିବା ଜଣାପଡ଼ିଛି। କିଛି ଦିନ ପୂର୍ବରୁ ଘରର ପାଣି ପକାଇବାକୁ କେନ୍ଦ୍ରକରି ପୁଷ୍ପାଞ୍ଜଳି ଏବଂ ପଡ଼ୋଶୀ ଘର ମଧ୍ୟରେ ବିବାଦ ହୋଇଥିବା ନେଇ ସେ ସୋହେଲା ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ସମାଧାନ କରିବା ପାଇଁ ଗାଁରେ ସଭା ହୋଇଥିଲା। ତେବେ ଗତ ମଙ୍ଗଳବାର ଦିନଠାରୁ ତାଙ୍କ ଘର ବନ୍ଦ ରହିଥିଲା। ଶୁକ୍ରବାର ସକାଳୁ ପଦ୍ମପୁର ଏସ୍ଡିପିଓ ବିଭୂତି ଭୂଷଣ ଭୋଇ, ସୋହେଲା ଥାନାଧିକାରୀ ହରିବନ୍ଧୁ ଗଡ଼ତିଆଙ୍କ ଉପସ୍ଥିତିରେ ଘର ଖୋଲାଯାଇଥିଲା। ଘର ଭିତରେ ପୁଷ୍ପାଞ୍ଜଳିଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ପଡ଼ିଥିଲା। ପରେ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ତନାଘନା କରିଥିଲେ। ସନ୍ଧାନୀ କୁକୁର ବାରମ୍ବାର ପଡ଼ୋଶୀ ଘରକୁ ଯାଇଥିଲା। ଘଟଣା ପରଠାରୁ ଜଣେ ଯୁବକ ଫେରାର ଥିବା କାରଣରୁ ଏହି ହତ୍ୟାକାଣ୍ଡରେ ସେ ସଂପୃକ୍ତ ଥିବା ପୁଲିସ୍ ସନ୍ଦେହ କରୁଛି।