ମହିଳାଙ୍କୁ ହାଣି ଖଣ୍ଡଖଣ୍ଡ କରି ଭସାଇଦେଲେ, ଏ ପର୍ଯ୍ୟନ୍ତ ମୁଣ୍ଡ ମିଳିନି, ଦେଡ଼ଶୁର ଗିରଫ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଅମାରଙ୍ଗ ଗାଁରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଜଣେ ମହିଳାଙ୍କୁ ଗଡ଼ଗଡ଼ କରି ହାଣିବା ପରେ ବୈତରଣୀ ନଦୀରେ ଭସାଇ ଦିଆଯାଇଛି। ମୃତ ମହିଳା ଜଣଙ୍କ ହେଲେ ଅମାରଙ୍ଗ ଗ୍ରାମର ସୁରତି ନାଇକ।

ପୁଲିସ ଦୁଇ ପର୍ଯ୍ୟାୟରେ ମୃତ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର କରିଥିବା ବେଳେ ଏଯାଏଁ ମୁଣ୍ଡକୁ ପାଇନି। ତେବେ ଏହି ଘଟଣାରେ ପୁଲିସ ମହିଳାଙ୍କ ଦେଡ଼ଶୁର ଶତ୍ରୁଘ୍ନ ନାଇକକୁ ଗିରଫ କରିଛି। ପୁଲିସ ସୂଚନା ଅନୁସାରେ, ସୁରତି ଗୁରୁବାର ରାତିରୁ ନିଖୋଜ ଥିଲେ। ଗତକାଲି ଗାଁ ପାଖ ବୈତରଣୀ ନଦୀଘାଟରେ ତାଙ୍କ ମୃତଦେହର ଅଧା (ଅଣ୍ଟାରୁ ତଳକୁ) ଭାସୁଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ପହଞ୍ଚି ତାହାକୁ ଜବତ କରିଥିଲା। ପରେ ଅଗ୍ନିଶମ ବାହିନୀ ମୃତଦେହର ବାକି ଅଂଶକୁ ଉଦ୍ଧାର କରିବା ପାଇଁ ନଦୀରେ ଖୋଜାଖୋଜି କରିଥିଲେ। ଆଜି ତାଳଗାଁ ନିକଟରୁ ମୃତଦେହ ବାକି ଅଂଶ (ବେକରୁ ଅଣ୍ଟା ପର୍ଯ୍ୟନ୍ତ) ମିଳିଥିଲା। ହେଲେ ମୁଣ୍ଡ ଓ ହାତ ମିଳିପାରି ନଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ମୃତଦେହର ଅଧାଅଂଶ ନଥିବାରୁ ପ୍ରଥମେ ମହିଳାଙ୍କ ପରିଚୟ ମିଳିପାରି ନଥିଲା। ସୁରତି ନିଖୋଜ ଥିବାରୁ ପୁଲିସ ସନ୍ଦେହରେ ତାଙ୍କ ଦୁଇଝିଅଙ୍କୁ ଡକାଇଥିଲା। ସେମାନେ ଶବକୁ ଚିହ୍ନଟ କରିଥିଲେ। ପାରିବାରିକ କଳହକୁ କେନ୍ଦ୍ରକରି ବଡ଼ବାପା ଶତ୍ରୁଘ୍ନ ହିଁ ତାଙ୍କ ମାଙ୍କୁ ମାରିଥିବା ଦୁଇଝିଅ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ଶତ୍ରୁଘ୍ନକୁ ଗତକାଲି ଥାନାକୁ ଆଣି ପଚରାଉଚରା କରୁଥିଲା। ଆଜି ତାକୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ଏ ନେଇ ଘସିପୁରା ଥାନାରେ କେସ୍‌ ନମ୍ବର ୨୧୨/୨୧ରେ ଏକ ମାମଲା ରୁଜୁ ହୋଇଛି ବୋଲି ଥାନା ଅଧିକାରୀ ଶ୍ୟାମଘନ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର