ଯାଜପୁର : ଲୁହାରଡ଼ରେ ପିଟି ମହିଳାଙ୍କୁ ହତ୍ୟା

ବଲାଙ୍ଗୀର : ଦାଦନ ଶ୍ରମିକଙ୍କୁ ପିଟିପିଟି ହତ୍ୟା

ଯାଜପୁରଟାଉନ/ସଦର :  ଜମିଜମା ଓ ପିଲାକଳିକୁ କେନ୍ଦ୍ରକରି ଭାଉଜଙ୍କୁ ଲୁହାରଡ଼ରେ ପିଟିପିଟି ହତ୍ୟା କରିଛି ଦିଅର। ଯାଜପୁର ଟାଉନ ଥାନା ଅନ୍ତର୍ଗତ ମାର୍କଣ୍ଡପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ଏଭଳି ଘଟଣା ଘଟିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଦିଅର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଯାଜପୁରଟାଉନ ଥାନା ଅଧୀନ ଗୋବିନ୍ଦପୁର ଗ୍ରାମର କୈଳାସ ଜେନା ଓ ଭାଇ ଭାସ୍କର ଜେନାଙ୍କ ମଧ୍ୟରେ ଜମିଜମାକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା। ଗତକାଲି ଛୋଟ ପିଲାଙ୍କ ଦୋଳି ଖେଳକୁ ନେଇ କୈଳାସଙ୍କ ସ୍ତ୍ରୀ ମାତାଜୀ(୪୬) ଏବଂ ଦିଅର ଭାସ୍କରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଆଜି ପୂର୍ବାହ୍ନ ୧୧ଟା ବେଳେ ଦିଅର ଭାସ୍କର ଭାଉଜ ମାତାଜୀଙ୍କ ନିକଟକୁ ଆସି ପାଟିତୁଣ୍ଡ କରିଥିଲା। ପରେ ପାଖରେ ପଡ଼ିଥିବା ଏକ ଲୁହାରଡ଼ରେ ମାତାଜୀଙ୍କ ଛାତିକୁ ପିଟି ଦେବାରୁ ସେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ପରିବାର ଲୋକେ ଏବଂ ଗ୍ରାମବାସୀ ମାତାଜୀଙ୍କୁ ଉଦ୍ଧାର କରି ମାର୍କଣ୍ଡପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ଦାଦନ ଶ୍ରମିକଙ୍କୁ ପିଟିପିଟି ହତ୍ୟା
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ସଦର ଥାନା ବାଦୀମୁଣ୍ଡା ଗାଁରେ ମୋବାଇଲ ଚୋରି ଘଟଣାକୁ କେନ୍ଦ୍ର କରି ଶାନ୍ତନୁ ନାଏକ ନାମକ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦାଦନ ଖଟିବା ପାଇଁ ଯାଇଥିବା ବାଦୀମୁଣ୍ଡା ଗାଁର ୨୫ ବର୍ଷୀୟ ଶାନ୍ତନୁ କିଛିଦିନ ତଳେ ତାମିଲନାଡୁରୁ ଫେରି ଗାଁକୁ ଆସିଥିଲେ। ଏହି ସମୟ‌ ମଧ୍ୟରେ ଶାନ୍ତନୁଙ୍କ ଏକ ଦାମିକା ମୋବାଇଲ ଫୋନ ଚୋରି ହୋଇଥିଲା। ବାଦୀମୁଣ୍ଡା ଗାଁର ଶ୍ରବଣ ଦାସ ଏବଂ ଗୋଦାମ ଭୋଇ ଉକ୍ତ ମୋବାଇଲ ଚୋରି କରିଥିବା ଶାନ୍ତନୁ ସନ୍ଦେହ କରୁଥିଲେ। ଏହାକୁ କେନ୍ଦ୍ର କରି ମଙ୍ଗଳବାର ରାତିରେ ଶାନ୍ତନୁଙ୍କ ସହିତ ଉଭୟଙ୍କ ବଚସା ହୋଇଥିଲା। ଏଥିରେ ହଠାତ୍‌ ରାଗିଯାଇ ଶ୍ରବଣ ଓ ଗୋଦାମ ବାଡ଼ିରେ ଶାନ୍ତନୁଙ୍କୁ ପିଟି ପିଟି ହତ୍ୟା କରିଥିବା ଶାନ୍ତନୁଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ମାମଲାରେ ପୁଲିସ ଗୋଦାମଙ୍କୁ ଅଟକ ରଖିଛି ଏବଂ ଶ୍ରବଣ ଫେରାର ଅଛି।

ସମ୍ବନ୍ଧିତ ଖବର