ଦୁଷ୍କର୍ମ ପରେ ମହିଳାଙ୍କୁ ପଥର ଛେଚି ହତ୍ୟା

ଯୋଡା: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଜଙ୍ଗଲରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ପଥର ଛେଚି ହତ୍ୟା  କରାଯାଇଛି। ଏହି ମାମଲାରେ ପୁଲିସ ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ବେଗୁନିଆ ପଞ୍ଚାୟତ ଝଗଡ଼ା ଗ୍ରାମର ମାନସିଂ ସୋରେନକୁ ଗିରଫ କରି କୋର୍ଟଚାଲାଣ କରିଛି।

ପୁଲିସ ସୂଚନା ଅନୁଯାୟୀ, ମାନସିଂ ବାମେବାରୀ ଥାନା ଗୁରୁଡ଼ା ଠାକୁରାଣୀସାହିରେ ରହୁଥିବା ତାଙ୍କ ବଢ଼ସଡ଼ୁ କାଳିଆ ଶୁଣ୍ଢିଙ୍କ ଘରକୁ ଆସିଥିଲେ। ୨୨ ତାରିଖରେ ମାନସିଂ, ସଡ଼ୁ କାଳିଆ ଓ ତାଙ୍କ ସ୍ତ୍ରୀ ମୀନା ସମସ୍ତେ ମିଶି ନିକଟସ୍ଥ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ଜଙ୍ଗଲରେ କାଠ କାଟିବା ପରେ କାଳିଆ ଥକିଯିବାରୁ ଗଛମୂଳେ ଶୋଇପଡ଼ିଥିଲେ। ଏହାର ସୁଯୋଗ ନେଇ ମାନସିଂହ ଦେଡ଼ଶାଶୂ ମୀନାଙ୍କୁ କିଛିଦୂରକୁ ନେଇ ଦୁଷ୍କର୍ମ କରିଥିଲା। ମୀନା ଘଟଣା ସମ୍ପର୍କରେ ସ୍ଵାମୀଙ୍କୁ ଜଣାଇବା ସହ ଥାନ‌ାରେ କେସ୍‌ କରିବି ବୋଲି କହିଥିଲେ। ମାନସିଂ ଧରାପଡ଼ିଯିବା ଭୟରେ ମୀନାଙ୍କୁ ପଥର ଛେଚି ହତ୍ୟା କରିଥିଲା। ପରେ ସଡ଼ୁ କାଳିଆଙ୍କ ସହ ମିଶି ମୀନାଙ୍କୁ ଖୋଜିବା ବାହାନା କରି ଘରକୁ ପଳାଇ ଆସିଥିଲା। ଏନେଇ କାଳିଆ ୨୪ ତାରିଖରେ ବାମେବାରୀ ଥାନାରେ ଅଭିଯୋଗ କରିଥିଲେ। ସେ ସଡ଼ୁ ମାନସିଂଙ୍କ ଉପରେ ସନ୍ଦେହ କରୁଥିବା ପୁଲିସ ଆଗରେ କହିଥିଲେ। ପୁଲିସ ଘଟଣାର ତଦନ୍ତ କରି ମୀନାଙ୍କ ମୃତଦେହ ଉଦ୍ଧାର କରିଥିଲା। କେସ୍‌ ନମ୍ବର ୧୯/୨୩ରେ ଏକ ମାମଲା ରୁଜୁ କରିଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ମୀନାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୁଲିସ ଜାଣିବାକୁ ପାଇଥିଲା। ମାନସିଂଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରିବା ସମୟରେ ସେ ମୀନାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ସ୍ବୀକାର କରିଥିଲା।

ସମ୍ବନ୍ଧିତ ଖବର