ଯୌତୁକ ପାଇଁ ସ୍ବାମୀ ଓ ଶ୍ବଶୁର ମିଶି ବୋହୂଙ୍କୁ ହତ୍ୟା ଅଭିଯୋଗ

ରାଇରଙ୍ଗପୁର/ବାଦାମପାହାଡ଼: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ସ୍ବାମୀ ଓ ଶ୍ବଶୁର ମିଶି ହତ୍ୟା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ବାଦାମପାହାଡ ଥାନା ଅନ୍ତର୍ଗତ ଦୁଧିଝରଣ ଗ୍ରାମର ବୁଧୁ ଦେହୁରିଙ୍କ ଝିଅ ରଇବାରୀ ଦେହୁରୀଙ୍କ ସେହି ଗ୍ରାମର ତେନ୍ତୁଳିସାହିର କାନ୍ଦ୍ରା ଦେହୂରୀଙ୍କ ପୁଅ ବାସୁ ଦେହୁରୀଙ୍କ ସହିତ ବୈଦିକ ରୀତିରେ ୨୦୧୮ ମସିହାରେ ବାହାଘର ହୋଇଥିଲା। ବାହାଘର ସମୟରେ ଯୌତୁକ ବାବଦକୁ ବିଭିନ୍ନ ସାମଗ୍ରୀ ଦେଇଥିଲେ।
ତେବେ କିଛି ମାସ ପୂର୍ବରୁ ରଇବାରୀଙ୍କ ସ୍ବାମୀ ଓ ତାଙ୍କ ଶଶୁର ଅଧିକ ୫୦ ହଜାର ଟଙ୍କା ଯୌତୁକ ବାପ ଘରୁ ଆଣିବା ପାଇଁ କହୁଥିଲେ। ବୁଧୁ ଦେହୁରୀ ଟଙ୍କା ଦେବା ପାଇଁ ଅସମର୍ଥ ହେବାରୁ ତାଙ୍କ ଝିଅକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଆଜି ସକାଳୁ ବୁଧୁଙ୍କ ପାଖକୁ ରଇବାରୀଙ୍କ ଶାଶୁ ଫୋନ୍ କରି କହିଲେ ଯେ କାନ୍ଦ୍ରା ଓ ବାସୁ ମିଶି ତାଙ୍କ ଝିଅଙ୍କୁ ହତ୍ୟା କରିଛନ୍ତି। ବୁଧୁ ଝିଅ ଘରକୁ ଯାଇ ଦେଖିଲେ ଯେ ତାଙ୍କ ଝିଅଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ସେଠାରେ ପଡ଼ିଛି । ସ୍ବାମୀ ଓ ଶଶୁର ମିଶି ତାଙ୍କ ଝିଅଙ୍କୁ କାଠ ଫାଳିଆରେ ମାରି ହତ୍ୟା କରିଥିବା ନେଇ ବାଦାମପାହାଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଏନେଇ ବାଦାମପାହାଡ ଥାନାରେ କେସ ନଂ ୬୬/୨୪ରେ ଏକ ମାମଲା ରୁଜୁ ହୋଇଛି। ଶବକୁ ଜବତ କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ଏଏସପି ଉମା ଶଙ୍କର ମହାରଣା, ଏସଡିପିଓ ଗକୁଳାନନ୍ଦ ସାହୁ ଓ ବାଦାମପାହାଡ ଥାନା ଅଧିକାରୀ କେ.କେ ହେମ୍ବ୍ରମ ପ୍ରମୁଖ ଉଭୟ ସ୍ବାମୀ ଓ ଶ୍ବଶୁର ଙ୍କୁ ଗିରଫ କରି ଘଟଣାସ୍ଥଳରେ  ଘଟଣାର ତଦନ୍ତ ଜାରି ରଖିଛନ୍ତି। ଉଭୟ ଅଭିଯୁକ୍ତକୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ।
ସମ୍ବନ୍ଧିତ ଖବର