ମାଲକାନଗିରି : ଏନ୍‌କାଉଣ୍ଟରରେ ଆହତ ମହିଳା ନକ୍ସଲ ଗିରଫ

ମାଲକାନଗିରି : ପୁଲିସ ଏନ୍‌କାଉଣ୍ଟରରେ ଆହତ ଜଣେ ମହିଳା ନକ୍ସଲଙ୍କୁ ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଜିଲ୍ଲା ପୁଲିସ ଗିରଫ କରିଛି । ତାଙ୍କ ନାଁ କଳାବତୀ ଅରଫ ଭବାନୀ । ଗୁରଥେଡୁ ଥାନା ଅନ୍ତର୍ଗତ ବୁରଡାକୋଟା ଗ୍ରାମରୁ ଗିରଫ କରିବା ପରେ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ସୀମାନ୍ତ ମାଡାଗାମାଲୁ ଅଞ୍ଚଳରେ ଗ୍ରେହାଉଣ୍ଡ ଯବାନ କମ୍ବିଂ ଅପରେସନରେ ଯାଇଥିଲେ। ଘଞ୍ଚ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କରିବା ପରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ୨ଜଣ ନକ୍ସଲ ନିହତ ହୋଇଥିବା ବେଳେ ବହୁ ନକ୍ସଲ ଆହତ ହୋଇଥିଲେ। କିନ୍ତୁ ସାଥୀ ନକ୍ସଲ ସେମାନଙ୍କୁ ନେଇ ଚାଲି ଯାଇଥିଲେ। ହେଲେ ଏହି ଏନକାଉଣ୍ଟରରେ ମହିଳା ନକ୍ସଲ କଳାବତୀ ଗୋଡ଼ରେ ଗୁଳି ବାଜିଥିବାରୁ ସେ ଗୁରୁତର ଆହତ ହୋଇଥିଲା। ୩ଦିନ ଧରି ସେ ଜଙ୍ଗଲରେ ଲୁଚି ରହିଥିଲା। ତେବେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଚିକିତ୍ସା କରିବାକୁ ବାଧ୍ୟ ହୋଇଥିଲା। ଏଥିପାଇଁ ସେ ବୁରୁଡାକୋଟା ଗ୍ରାମରେ ପହଞ୍ଚି ଚିକିତ୍ସିତ ହେଉଥିଲା। ଏ ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ପୁଲିସ ଚଢ଼ଉ କରି କଳାବତୀକୁ ଗିରଫ କରିଛି।

ସମ୍ବନ୍ଧିତ ଖବର