ଓଡ଼ିଶାରେ ଛତିଶଗଡ଼ ପୁଲିସ୍‌ର ଅପରେସନ୍‌ : ଦୁର୍ଦାନ୍ତ ମହିଳା କମାଣ୍ଡର ଜ୍ୟୋତି ନିହତ

ମାଲକାନଗିରି, : ଓଡ଼ିଶାରେ ପଶି ଛତିଶଗଡ଼ ପୁଲିସ୍‌ ଆଜି ସଂଧ୍ୟାରେ ଗୋଟିଏ ବଡ଼ଧରଣର ଅପରେସନ କରିଛି। ଏହି ଅପରେସନ୍‌ରେ ପଡ଼ୋଶୀ ରାଜ୍ୟର ପୁଲିସକୁ ବିପୁଳ ସଫଳତା ମିଳିଛି। କୁଖ୍ୟାତ ମହିଳା ମାଓ କମାଣ୍ଡର ଜ୍ୟୋତି ପୁଲିସ୍‌ ଗୁଳିରେ ନିହତ ହୋଇଥିବା ସୂଚନା ମିଳିଛି। ଛତିଶଗଡ଼ ପୁଲିସ୍‌ ଏତେ ସତର୍କତାର ସହ ଅପରେସନ୍‌ କରିଛି ଯେ ଓଡ଼ିଶା ପୁଲିସ ଆଦୌ ସୁରାକ ପାଇନାହିଁ। ଶେଷଖବର ସୁଦ୍ଧା ଘଟଣାସ୍ଥଳରେ ମାଓ କ୍ୟାମ୍ପକୁ ଧ୍ବଂସ କରି ପୁଲିସ୍‌ ସର୍ଚ ଅପରେସନ ଜାରି ରଖିଛି।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକ୍‌ର ଦଣ୍ଡିପଦର ଅଂଚଳରେ ବିଜାପୁର ପ୍ଲାଟୁନ-୩୧ କମାଣ୍ଡର ଜ୍ୟୋତି ନେତୃତ୍ବରେ ଗୋଟିଏ କ୍ୟାମ୍ପ ଚାଲିଥିଲା। ଗତ କିଛିଦିନ ହେଲା ବାରମ୍ବାର ଅଘଟଣ ଘଟାଇ ଆତ୍ମଗୋପନ ପାଇଁ ନକ୍ସଲ ଏଠାକୁ ଚାଲି ଆସିଥିଲେ। ତେବେ ଏନେଇ ଛତିଶଗଡ଼ର ଗୁଇନ୍ଦା ବିଭାଗ ନକ୍ସଲଙ୍କ ଗତିବିଧି ସଂପର୍କରେ ଟେର୍ ପାଇ ଯାଇଥିଲା। ଆଜି ଅପରାହ୍ନରେ ଡିଆରଜି ଯବାନ ଜଙ୍ଗଲକୁ ଘେରି ଯାଇ ଚଢ଼ାଉ ଆରମ୍ଭ କରିଥିଲେ। ଯବାନମାନେ କ୍ୟାମ୍ପ୍‌ର ନିକଟତର ହେବା ପରେ ପହରା ଦେଉଥିବା ନକ୍ସଲ ଗୁଳି ଚଳାଇବା ଆରମ୍ଭ କରିଥିଲେ। ପୂର୍ବରୁ ଏଭଳି ସ୍ଥିତିର ସମ୍ମୁଖୀନ ହେବା ନେଇ ପ୍ରସ୍ତୁତ ରହିଥିବା ଯବାନ ନିଜକୁ ସୁରକ୍ଷିତ ରଖି ପାଲଟା ଗୁଳି ଚଳାଇଥିଲେ। ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଉଭୟ ପଟୁ ଘନଘନ ଗୁଳି ବିନିମୟ ହୋଇଥିଲା।

ଯବାନଙ୍କ ଗୁଳିର ସାମ୍ନା କରିବାରେ ସମସ୍ୟା ହେବାରୁ କ୍ୟାମ୍ପ ଛାଡ଼ି ଛତ୍ରଭଙ୍ଗ ଦେବାକୁ ବାଧ୍ୟ ହୋଇଥିଲେ ନକ୍ସଲ। ଘଟଣାସ୍ଥଳ‌େର ସର୍ଚ୍ଚ ଅପରସେନ୍‌ ସମୟରେ ଟଳି ପଡ଼ିଥିବା ମାଓ କମାଣ୍ଡର ଜ୍ୟୋତିର ଶବ ଠାବ ହୋଇଥିଲା। ଦୁର୍ଦାନ୍ତ ଜ୍ୟୋତି ନାଁରେ ସରକାର ୮ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ବିଜାପୁର ଅଂଚଳରେ ଜ୍ୟୋତିର ଦବ୍‌ଦବା ରହିଥିଲା। ଓଡିଶା ସୀମା ଭିତରେ କ୍ୟାମ୍ପ କରି ସାଥୀ ନକ୍ସଲଙ୍କ ସହ କୌଣସି ବଡ଼ ଅଘଟଣ ଘଟାଇବା ପାଇଁ ମସୁଧା କରୁଥିବା ପୁଲିସ୍‌ ଦାବି କରିଛି।

ସମ୍ବନ୍ଧିତ ଖବର