୫ଦିନର ଶିଶୁ ସହ ମହିଳା ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆଜି ଜଣେ ମହିଳା ମାଓବାଦୀ ନିଜ ୫ଦିନର ଶିଶୁ ସହ ପହଞ୍ଚି ଆତ୍ମସମର୍ପଣ କରିଛନ୍ତି। ବସ୍ତର ଡିଭିଜନରେ ୨୦୧୪ ମସିହାରୁ କାମ କରି ଆସୁଥିବା ଏହି ମହିଳା ମାଓବାଦୀ ଜଣକ ସୁନିତା ଓରଫ ହୁଙ୍ଗି କଟ୍ଟମ (୩୦)। ତାଙ୍କ ନାଁରେ ୧ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା ବୋଲି ଏସପି କେ.ଏଲ ଧ୍ରୁବ କହିଛନ୍ତି। ଏହାପରେ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରି ପୁଲିସ ପକ୍ଷରୁ କାଙ୍କେର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁକୁ ଭର୍ତି କରାଯାଇଛି।

ସୁନିତାଙ୍କ କହିବା ହେଲା ୨୦୧୪ରେ ସଂଗଠନରେ ସାମିଲ ହୋଇଥିଲେ। ବାସାଗୁଡ଼ା ଏଲଓସି ସଦସ୍ୟ ଭାବେ ପ୍ରାରମ୍ଭ ଜୀବନ ଆରମ୍ଭ କରିଥିଲେ। କିଛି ବର୍ଷ ପରେ ତାଙ୍କୁ ଦକ୍ଷିଣବସ୍ତରରୁ କାମ କରିବାକୁ ଉତ୍ତରବସ୍ତର ପଠାଯାଇଥିଲା। ୨୦୧୮ ମସିହାରେ ମୁନ୍ନା ମାଣ୍ଡବୀଙ୍କୁ ବିବାହ କରିଥିଲେ। ଗର୍ଭବତୀ ହେବାରୁ ସଂଗଠନ ପକ୍ଷରୁ ତାଙ୍କୁ ଘରକୁ ଚାଲିଯିବାକୁ କୁହାଗଲା। ମାସକ ତଳେ ସେ ଜଙ୍ଗଲରୁ ବହାରି ଚିଲପରସ ଗାଁକୁ ଚାଲି ଆସିଥିଲେ। ପ୍ରସବ ପରେ ଶିଶୁର ଭବିଷ୍ୟତକୁ ନେଇ ଆଜି ଆତ୍ମସମର୍ପଣ କରିଛନ୍ତି। ବହୁ ହିଂସାରେ ସଂପୃକ୍ତି ଥିବା ବି ସେ ସ୍ବୀକାର କରିଛନ୍ତି।

ତେବେ ଆତ୍ମସମର୍ପଣ ପରେ ସୁନିତା କହିଛନ୍ତି, କ୍ୟାଡର ନକ୍ସଲଙ୍କ ଦ୍ବାରା ଶାରୀରିକ ଶୋଷଣର ଶିକାର ହେଉଛନ୍ତି ମହିଳା ମାଓବାଦୀ। ଏପରିକି ଗର୍ଭବତୀ ହେଲା ତୁରନ୍ତ ଗର୍ଭ ନଷ୍ଟ କରିବାକୁ ବାଧ୍ୟ କରାଯାଉଛି। ସୁନିତାଙ୍କ କ୍ଷେତ୍ରରେ ମଧ୍ୟ ଏମିତି ହୋଇଥିଲା। ପୁଲିସ ଏନକାଉଣ୍ଟର ସମୟରେ ମହିଳା ନକ୍ସଲଙ୍କୁ ସାମ୍ନାକୁ ପଠାଇ କ୍ୟାଡର ନକ୍ସଲ ଖସିଯାନ୍ତି। ସେହିପରି ଜିନିଷପତ୍ର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୋହି ନେବାରେ ମଧ୍ୟ ସେମାନଙ୍କୁ ନିୟୋଜିତ କରାଯାଉଛି। ତଥାପି ସଂଗଠନରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ରୋକିବା ଏତେ ସହଜ ନୁହେଁ ବୋଲି ସୁନିତା କହିଛନ୍ତି।

ସମ୍ବନ୍ଧିତ ଖବର