ରାସନ୍‌ କାର୍ଡ ଥାଇ ବି ମିଳୁନି ଖାଉଟି ସାମଗ୍ରୀ : ଦୁର୍ଦିନରେ ଜୀବନ ବିତାଉଛନ୍ତି ହରପ୍ରିୟା

ଦଶପଲ୍ଲା : ଦଶପଲ୍ଲା ଏନ୍ଏସିସ୍ଥିତ କୁଞ୍ଜବନଗଡ଼ ଗ୍ରାମ ୪ ନମ୍ବର ୱାର୍ଡର ଏକ ଭଡ଼ା ଘରେ ଦୁର୍ଦିନରେ ଜୀବନ ବିତାଉଥିବା ହରପ୍ରିୟା ସାହୁଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଥିବା ବେଳେ ଏବେ ତାଙ୍କୁ ରାସନ ସାମଗ୍ରୀ ମିଳୁନଥିବା ସେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ହରପ୍ରିୟା ସାହୁଙ୍କ ବାପଘର କୁଞ୍ଜବନଗଡ ଗ୍ରାମରେ ହୋଇଥିବା ବେଳେ ସେ ୨୦୦୭ ମସିହାରେ ମହିପୁର ଗ୍ରାମରେ ବିବାହ କରିଥିଲେ, ମାତ୍ର ସ୍ବାମୀଙ୍କର ବିକୃତ ମସ୍ତିଷ୍କ ଯୋଗୁ କେଉଁଆଡେ ଚାଲିଯାଇଥିବା ବେଳେ ସେ ଶାଶୂଘରର କଷଣ ସହି ନପାରି ବାପଘରକୁ ଚାଲି ଆସିଥିଲେ। ପରେ ବାପାମାଆ ମରିଯିବାରୁ ୨ ଭାଇଙ୍କୁ ଆଶ୍ରାକରି ହରପ୍ରିୟା ବାପଘରେ ରହିଥିବା ବେଳେ ପରେ ଏକ ଭଡ଼ା ଘରେ ରହି ଆସୁଛନ୍ତି।

ହରପ୍ରିୟା ୬ ବର୍ଷର ଶିଶୁପୁତ୍ରକୁ ନେଇ ପର ଘରେ ରୋଷେଇ କରି ଜୀବନ ବଞ୍ଚୁଥିବା ବେଳେ, ସମସ୍ତ ସରକାରୀ ସହାୟତାରୁ ମା’-ପୁଅ ବଞ୍ଚିତ ହୋଇଛନ୍ତି। ହରପ୍ରିୟାଙ୍କୁ ୨୦୧୫ରେ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳିଥିଲା ରାସନ କାର୍ଡ। ଏହି କାର୍ଡ ମାଧ୍ୟମରେ ହରପ୍ରିୟାଙ୍କୁ ୨୦୧୫ ଡିସେମ୍ବରଠାରୁ ଜୁନ୍‌ ୨୦୧୬ ପର୍ଯ୍ୟନ୍ତ ଚାଉଳ ଓ ଗହମ ଦିଆଯାଉଥିଲା। ମାତ୍ର ପରବର୍ତ୍ତୀ ସମୟରେ ତାଙ୍କୁ ଏହି ଯୋଜନାରୁ ବାଦ୍ ଦିଆଯାଇ ଚାଉଳ କିମ୍ବା ଗହମ ଦିଆଯାଉନାହିଁ। ବହୁ କଷ୍ଟରେ ପରଘରେ ରୋଷେଇ କରି ହରପ୍ରିୟା ନିଜ ପୁଅ ସହ ଜୀବନ ଅତିବାହିତ କରୁଥିବା ଦେଖିବାକୁ ମିଳିଛି। ରୋଷେଇ କରୁଥିବା ବାବୁମାନଙ୍କ ଘରୁ ଆଣୁଥିବା କିଛି ଖାଦ୍ୟ ଉଭୟ ମାଆ ପୁଅଙ୍କ ପାଇଁ ସାହାରା ସାଜିଥିବା ବେଳେ ଖାଦ୍ୟ ସୁରକ୍ଷା ଯୋଜନା କାହା ପାଇଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। ମାତ୍ର ଏ ସମ୍ପର୍କରେ ଯୋଗାଣ ଅଧିକାରୀ ଚନ୍ଦ୍ରଶେଖର ନାୟକଙ୍କୁ ପଚାରିବାରୁ, ତଦନ୍ତ କରି ଦେଖିବା ପାଇଁ କହିଛନ୍ତି। ତୁରନ୍ତ ହରପ୍ରିୟାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଉଟି ସାମଗ୍ରୀ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର