ଜୟପୁର : ଫିନାଇଲ୍‌ ପିଇ ମହିଳା ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, ମହିଳା ୱାର୍ଡର ଓ ମୁଖ୍ୟ ୱାର୍ଡରଙ୍କୁ କାରଣଦର୍ଶାଅ ନୋଟିସ୍‌

ଜୟପୁର : କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଉପକାରାଗାରରେ ଆଜି ଜଣେ ବିଚାରାଧୀନ ମହିଳା କଏଦୀ ଫିନାଇଲ୍‌ ପିଇ ଆତ୍ମହତ୍ୟା କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟସ୍ଥିତ ଏସ୍ଏଲ୍ଏନ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଆତ୍ମହତ୍ୟା କରିଥିବା ମହିଳା କଏଦୀଙ୍କ ନାମ ଲୀନା ପାଣିଗ୍ରାହୀ ଓ ଘର ସ୍ଥାନୀୟ ପ୍ରସାଦରାଓ ପେଟା ଅଂଚଳରେ ବୋଲି ଜଣାପଡିଛି। ଜେଲ୍ ପରିସରରେ ମହିଳା କଏଦୀ ଜଣକ ଫିନାଇଲ୍ ପିଇବା ଘଟଣାରେ ଜେଲ ଅଧୀକ୍ଷକ ଲଳିତେନ୍ଦୁ ଦାଶ ମହିଳା ୱାର୍ଡର ଓ ମୁଖ୍ୟ ୱାର୍ଡରଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଘଟଣା ସଂପର୍କରେ ଜେଲ୍ ଅଧୀକ୍ଷକ ଜେଲ ବିଭାଗର ଡିଜି, ଜାତୀୟ ମାନବିକ ଅଧିକାର କମିଶନ ଓ ରାଜ୍ୟ ମାନବିକ ଅଧିକାର କମିଶନକୁ ଅବଗତ କରାଇଛନ୍ତି । କେଉଁ ପରିସ୍ଥିତିରେ ମହିଳା କଏଦୀ ଜଣକ ଫିନାଇଲ୍ ପିଇଲେ ଏହାର ତଦନ୍ତ ଆରମ୍ଭ ହୋଇଛି ।

ଜୟପୁର ଉପକାରାଗାରରେ ୩୨୧ଜଣ ପୁରୁଷ ଓ ୯ଜଣ ମହିଳା ଅନ୍ତେବାସୀ ରହୁଛନ୍ତି। ଆଜି ସକାଳ ୬ଟା ବେଳେ ମହିଳା ୱାର୍ଡର ମହିଳା ଅନ୍ତେବାସୀମାନଙ୍କୁ ସେମାନଙ୍କ ପ୍ରକୋଷ୍ଠରୁ ବାହାର କରିବା ପରେ ସାଂଗରେ ନେଇଥିବା ଫିନାଇଲ୍‌କୁ ରୁମ୍‌ରେ ପକାଇ ବୋତଲଟିକୁ ବାହାରେ ରଖି ଜେଲ ମଧ୍ୟକୁ ଯାଇଥିଲେ। ଏହି ସୁଯୋଗରେ ମହିଳା ଅନ୍ତେବାସୀ ଲୀନା ଫିନାଇଲ ପିଇ ଦେଇଥିଲେ। ସକାଳ ୭ଟା ‌୧୫ବେଳେ ସେ ଅସୁସ୍ଥ ହୋଇପଡ଼ିବା ଦେଖି ଜେଲ୍ ଭିତରେ ଚିକିତ୍ସା କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତୁରନ୍ତ କୋରାପୁଟ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସକାଳ ୯ଟା ୪୦ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଲୀନାଙ୍କ ସ୍ବାମୀଙ୍କ ନାମ ଗିରିଧର ପାଣିଗ୍ରାହୀ ବୋଲି ଜେଲ୍ ରେକର୍ଡରେ ରହିଥିବା ବେଳେ ଜେଲ୍‌ରେ ରହିବା ଭିତରେ ସେ ଥରଟିଏ ବି ଦେଖିବାକୁ ଆସିନଥିବା ଅଧୀକ୍ଷକ ଶ୍ରୀ ଦାସ କହିଛନ୍ତି। କେବଳ ଦଶମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ଝିଅ ଜେଲକୁ ଆସି ମା’ଙ୍କ ସହ ସାକ୍ଷାତ କରୁଥିଲେ। ଲୀନା ଦୁରାରୋଗ୍ୟ ରୋଗରେ ପୀଡ଼ିତ ଥିବା ସହ ନିୟମିତ ଚିକିତ୍ସିତ ହୋଇଥିଲେ। ଗତ ଜାନୁଆରି ୪ ତାରିଖରେ ଲୀନା ଏକ ଚୋରା ଗଂଜେଇ ଚାଲାଣ ମାମଲାରେ ବୈପାରିଗୁଡ଼ା ପୁଲିସ ହାତରେ ଗିରଫ କରି କୋର୍ଟକୁ ଚାଲାଣ ହୋଇଥିଲେ। ଏହି ମାମଲାରେ ତାଙ୍କ ସହ ଅନ୍ୟ ଅଭିଯୁକ୍ତ ଭାବେ ଉମେଶ ସିଂ, ଗଣେଶ ସୁନାନୀ, ଲକ୍ଷପତି ପୁଝାରୀଙ୍କୁ ବି କୋର୍ଟ ଚାଲାଣ ହୋଇଥିଲେ। ଏମାନଙ୍କ ନିକଟରୁ ୫୪କିଲୋ ଗଂଜେଇ ସହ ପଶ୍ଚିମବଙ୍ଗ ନମ୍ବରରେ ପଂଜୀକୃତ ଟାଟା ମାଞ୍ଜା କାର୍‌, ୨ଟି ମୋଟର ସାଇକେଲ ବି ଜବତ ହୋଇଥିଲା। ଅସୁସ୍ଥତା ପାଇଁ ସେ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ରହୁଥିଲେ ହେଁ ତାଙ୍କ ରହଣି ମଧ୍ୟରେ ସମସ୍ତଙ୍କ ସହ ମିଳାମିଶା କରି ପ୍ରିୟପାତ୍ର ଥିଲେ ।

ସମ୍ବନ୍ଧିତ ଖବର