ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ବଡ଼କାଳିମାଟି ପଞ୍ଚାୟତର ଆଶାୟୀ ସରପଞ୍ଚ ପ୍ରାର୍ଥୀ ଗୌରୀ ନାଏକ ନାମାଙ୍କନ ଦାଖଲରୁ ବଞ୍ଚିତ ହୋଇଛନ୍ତି। କିଛି ଦୁର୍ବୃତ୍ତ ତାଙ୍କର ନାମାଙ୍କନପତ୍ର ଛଡ଼େଇ ନେଇଯିବାରୁ ସେ ନାମାଙ୍କନପତ୍ର ଦାଖଲ କରିପାରି ନାହାନ୍ତି। ତାଙ୍କୁ ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ସୁଯୋଗ ଦେବା ଦାବିରେ ଗୌରୀ ସୋମବାର ଯୋଡ଼ା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।
ଗୌରୀଙ୍କ ଅଭିଯୋଗ ଅନୁଯାୟୀ, ୨୧ ତାରିଖରେ ସେ ସରପଞ୍ଚ ପଦବି ପାଇଁ ନାମାଙ୍କନପତ୍ର ଦାଖଲ କରିବାକୁ ବଡ଼କାଳିମାଟି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ନିର୍ବାଚନ ଅଧିକାରୀଙ୍କ ନିକଟରେ ସେ ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଅପେକ୍ଷା କରିଥିବା ବେଳେ ଚମ୍ପୁଆ ବିଧାୟିକ ମୀନାକ୍ଷୀ ମହାନ୍ତଙ୍କ ସମର୍ଥକମାନେ ତାଙ୍କୁ ଧମକଚମକ ଦେବା ସହ ଗାଳିଗୁଲଜ କରି ନାମାଙ୍କନପତ୍ର ଛଡ଼ାଇ ନେଇଥିଲେ। ସେଠାରେ ପୁଲିସ ଉପସ୍ଥିତ ଥାଇ ମଧ୍ୟ ତାଙ୍କୁ ସୁରକ୍ଷା ଦେଇନଥିଲା। ଫଳରେ ସେ ପ୍ରାର୍ଥିପତ୍ର ଦାଖଲରୁ ବଞ୍ଚିତ ହୋଇଛନ୍ତି। ଏନେଇ ଗୌରୀ ଯୋଡ଼ା ବ୍ଲକ୍ ନିର୍ବାଚନ ଅଧିକାରୀ ଓ ବାମେବାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତିନିଦିନ ବିତିଥିଲେ ମଧ୍ୟ ଏହି ଘଟଣାରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏହାର ପ୍ରତିବାଦରେ ଗୌରୀ ବ୍ଲକ୍ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ତାଙ୍କୁ ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ସୁଯୋଗ ଦେବାକୁ ଗୌରୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/joda.jpg)