ଶ୍ୱଶୂର ଘର ଆଗରେ ବୋହୂର ଧାରଣା: ପିଟିସନ୍‌ ଶୁଣାଣି ୨୯ରେ

ବ୍ରହ୍ମପୁର : ନ୍ୟାୟ ଗୁହାରି କରି ଶ୍ବଶୁର ଘର ଆଗରେ ଧାରଣାରେ ବସିଥିବା ବୋହୂ ତପସ୍ବିନୀ ଦାଶଙ୍କ ପିଟିସନ୍‌ର ଶୁଣାଣି ପାଇଁ ଆଜି କୋର୍ଟ ତାରିଖ ଧାର୍ଯ୍ୟ କରିଥିଲେ। ପ୍ରଥମ ପର୍ଯ୍ୟାୟରେ କୋର୍ଟ ପିଟିସନ୍‌ ଉପରେ ଗୋଟିଏ ପକ୍ଷର ଯୁକ୍ତି ଶୁଣିଥିଲେ। ଏସ୍‌ଡିଜେଏମ୍‌ ଛୁଟିରେ ଥିବାରୁ ଟ୍ରାନ୍‌ସପୋର୍ଟ କୋର୍ଟ ମାଜିଷ୍ଟ୍ରେଟ୍‌ ସଂଗ୍ରାମ କୁମାର ମିଶ୍ର ଦାୟିତ୍ବରେ ରହିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ସଂଧ୍ୟାରେ ଆସନ୍ତା ୨୯ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଦାୟିତ୍ବରେ ଥିବା ଏସ୍‌ଡିଜେଏମ୍‌ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତପସ୍ବିନୀଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ୱାନ୍‌ଷ୍ଟପ୍‌ ସେଣ୍ଟର୍‌ ସଖୀ କେନ୍ଦ୍ରରେ ରଖିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ନ୍ୟାୟ ନମିଳିବାରୁ ବୋହୂ ତପସ୍ବିନୀ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହିତ ପୁଣିଥରେ ଧାରଣାସ୍ଥଳକୁ ଚାଲି ଯାଇଛନ୍ତି। ବ୍ରହ୍ମାନଗର ସ୍ଥିତ ଧାରଣାସ୍ଥଳରେ ପୁଲିସ ଜଗି ରହିଥିବା ବେଳେ ସଖୀ କେନ୍ଦ୍ରର କର୍ମକର୍ତ୍ତା ମଧ୍ୟ ରହିଛନ୍ତି। ବୋହୂ ତପସ୍ବିନୀଙ୍କୁ ବୁଝାସୁଝା କରି ସେଠାରୁ ଉଠାଇବା ପାଇଁ ଉଦ୍ୟମ ଚାଲିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ତପସ୍ବିନୀ ଧାରଣାସ୍ଥଳରେ ରହିଛନ୍ତି।

ସମ୍ବନ୍ଧିତ ଖବର