ବ୍ରହ୍ମପୁର : ନ୍ୟାୟ ଗୁହାରି କରି ଶ୍ବଶୁର ଘର ଆଗରେ ଧାରଣାରେ ବସିଛନ୍ତି ବୋହୂ। ଶୁକ୍ରବାର ପଞ୍ଚମ ଦିନରେ ମଧ୍ୟ ସେ ତାଙ୍କର ଧାରଣା ଜାରି ରଖିଛନ୍ତି। ସେପଟେ ବୋହୂ ତପସ୍ବିନୀ ଦାଶ ଭାରପ୍ରାପ୍ତ ସମାଜ ମଙ୍ଗଳ ଅଧିକାରୀ କ୍ରିଷ୍ଣା କୁମାରୀ ନନ୍ଦଙ୍କ ଜରିଆରେ କୋର୍ଟରେ ପିଟିସନ୍‌ ରୁଜୁ କରି ଶ୍ବଶୁର ଘରେ ରହିବାକୁ ଅନୁମତି ଦେବା ପାଇଁ ଅନୁ‌ରୋଧ କରିଥିଲେ। ବ୍ରହ୍ମପୁର ଏସ୍‌ଡି‌ଜେଏମ୍‌ ସେହି ପିଟିସନ୍‌(ଏମ୍‌ସି ନମ୍ବର-୩୪୪/୨୧) ଗ୍ରହଣ କରିଛନ୍ତି। ଆସନ୍ତାକାଲି ଏହି ପିଟିସନ୍‌ ଉପରେ ଶୁଣାଣି କରାଯିବ ବୋଲି ତାରିଖ ଧାର୍ଯ୍ୟ ହୋଇଛି। ଏଣୁ ଆସନ୍ତାକାଲି କୋର୍ଟରେ ଉଭୟ ପକ୍ଷ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ସେପଟେ ତପସ୍ବିନୀଙ୍କ ଶ୍ବଶୁର ଓ ସ୍ବାମୀ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଅଫିସ୍‌ରେ ମାଜିଷ୍ଟ୍ରେଟ୍‌ ଦାୟିତ୍ବରେ ଥିବା ବିନୋଦ କୁମାର ବେହେରାଙ୍କ କୋର୍ଟରେ ହାଜର ହୋଇ ଜାମିନ୍‌ରେ ଯାଇଛନ୍ତି।

Advertisment

ପ୍ରକାଶଥାଉ କି ଛତ୍ରପୁରର ତପସ୍ବିନୀ ଓ ବ୍ରହ୍ମପୁରର ଜଣେ ଯୁବ ଡାକ୍ତର ସୁମିତ ସାହୁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟେ ଗତବର୍ଷ କୋର୍ଟରେ ବିବାହ କରିବା ସହ ଏକାଠି ରହିଥିଲେ। ଗତ କିଛି ମାସ ହେବ ସ୍ବାମୀ, ଶାଶୂ ଓ ଶ୍ବଶୁର ମିଶି ତାଙ୍କୁ ନିର୍ଯାତନା ଦେଇଥିବା ନେଇ ମହିଳା ଜଣଙ୍କ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଡାକ୍ତରଙ୍କ ପରିବାର ଲୋକେ ମାମଲା ଉଠାଇବା ପାଇଁ ବୋହୂଙ୍କୁ ମନାଇବା ସହ ବାହଘର କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଗତ ୨୨ତାରିଖରେ ବାହାଘର ଲଗ୍ନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶ୍ବଶୂର ଘର ଲୋକ କୌଣସି ଆୟୋଜନ କରି ନଥିବାରୁ ତପସ୍ବିନୀ ବଧୂ ବେଶରେ ସଜେଇ ହୋଇ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହାୟତାରେ ଶ୍ବଶୁର ଘର ଆଗରେ ଧାରଣା ଜାରି ରଖିଛନ୍ତି। ବିଭିନ୍ନ ସଙ୍ଗଠନ ତରଫରୁ ମଧ୍ୟ ତାଙ୍କୁ ସମର୍ଥନ ଦିଆଯାଇଛି। ନ୍ୟାୟ ନମିଳିବାରୁ ଶେଷରେ ତପସ୍ବିନୀ କୋର୍ଟରେ ଆଶ୍ରୟ ନେଇଛନ୍ତି। ଅନ୍ୟପଟେ ତପସ୍ବିନୀଙ୍କ ସ୍ବାମୀ ଏବଂ ଶ୍ବଶୁର କୋର୍ଟ ଯାହା ନିଷ୍ପତ୍ତି ନେବେ ତାକୁ ଗ୍ରହଣ କରାଯିବ ବୋଲି କହିଛନ୍ତି।