ସ୍ବାମୀ ସହଯୋଗ ଓ ଉପସ୍ଥିତିରେ ସ୍ତ୍ରୀଙ୍କୁ ଦୁଷ୍କର୍ମ

ରାଜନଗର : ରାଜନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀଙ୍କର ଜଣେ ବନ୍ଧୁ ତାଙ୍କ ସହଯୋଗ ଓ ଉପସ୍ଥିତିରେ ପତ୍ନୀଙ୍କୁ ଦୁଷ୍କର୍ମ କରିଛନ୍ତି। ପତ୍ନୀ ଏହାର ପ୍ରତିବାଦ କରିବାରୁ ସ୍ବାମୀ ତାଙ୍କୁ ମାଡ଼ ମାରିଛନ୍ତି। ବେକରେ ଭୁଜାଲି ଲଗାଇ ହାଣିଦେବାକୁ ଧମକ ବି ଦିଆଯାଇଛି। ଘଟଣା ସଂପର୍କରେ ଶାଶୂଘର ଲୋକେ ନ ବୁଝିବାରୁ ପୀଡିତା ନିଜ ବାପଘର ଲୋକଙ୍କ ସହାୟତାରେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ବାପଘର ଲୋକେ ସ୍ବାମୀଙ୍କୁ ଆଣି ପୁଲିସ ଜିମା ଦେଇଥିଲେ ମଧ୍ୟ ପୁଲିସ ତାଙ୍କୁ ଛାଡି ଦେଇଥିବା ନେଇ ଅଭିଯୋଗ ହୋଇଛି।

ରାଜନଗର ଥାନା ଅନ୍ତର୍ଗତ କଣ୍ତିରା ଅଞ୍ଚଳରେ ଜଣେ ବିବାହିତା ମହିଳା ଗତ ୨୦ତାରିଖ ଦିନ ସ୍ବାମୀଙ୍କ ସହ ଶୋଇଥିଲେ। ନିଦ ହେବା ପରେ ସ୍ବାମୀ ତାଙ୍କ ସାଙ୍ଗ ବ୍ରଜ ମଳିକଙ୍କୁ ଶୋଇବା ଘରକୁ ଡାକିଥିଲେ। ସ୍ବାମୀଙ୍କ ଉପସ୍ଥିତିରେ ବ୍ରଜ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ନିଦ ଭାଙ୍ଗିଯିବାରୁ ମହିଳା ଜଣଙ୍କ ଘଟଣା ସମ୍ପର୍କରେ ଜାଣିପାରି ଚିତ୍କାର କରିଥିଲେ। ଫଳରେ ବ୍ରଜ ଦୌଡି ପଳାଇଥିଲେ। ହେଲେ, କାହିଁକି ପାଟି କଲୁ ବୋଲି କହି ସ୍ବାମୀ ତାଙ୍କୁ ନିର୍ମମ ଭାବେ ମାଡ ମାରିଥିଲେ। ପାଟିତୁଣ୍ଡ ଶୁଣି ତାଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଁଚି ଘଟଣା ଜାଣି ଲଜ୍ଜା ପ୍ରକାଶ କରିଥିଲେ। ଏପରିକି ପୀଡିତାଙ୍କ ସ୍ବାମୀଙ୍କୁ ତାଙ୍କ ବଡଭାଇ ମାଡ଼ ମାରିଥିବା ବେଳେ ଲୋକଲଜ୍ଜାରେ ମହିଳାଙ୍କ ଶ୍ବଶୂର ନଦୀକୁ ଆତ୍ମହତ୍ୟା କରିବାକୁ ଯାଇଥିଲେ। ଘଟଣା ସଂପର୍କରେ ପୀଡିତାଜଣକ ଶାଶୂଘରୁ ନ୍ୟାୟ ନ ପାଇବାରୁ ବାପଘର ଲୋକଙ୍କୁ ଜଣାଇଥିଲେ। ଘଟଣାଟି ୨୦ ତାରିଖ ଦିନ ଘଟିଥିବା ବେଳେ ୨୧ ତାରିଖ ରାତିରେ ପୀଡିତାଙ୍କ ବାପଘର ଲୋକେ ପହଞ୍ଚି ଉଭୟ ପୀଡିତା ଓ ତାଙ୍କ ସ୍ବାମୀଙ୍କୁ ରାଜନଗର ଥାନାକୁ ଆଣି ପୁଲିସ ଜିମା ଦେଇଥିଲେ। ପୁଲିସ ଉଭୟଙ୍କୁ ପଚରାଉଚରା କରିଥିଲା। ଲିଖିତ ଅଭିଯୋଗ ହୋଇନଥିବାରୁ ପୁଲିସ ପୀଡିତାଙ୍କ ସ୍ବାମୀକୁ ଛାଡି ଦେଇଥିବା ନେଇ ପୀଡିତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ଥାନାକୁ ଆସିବା ଦିନ ରାତି ୧ଟା ହୋଇ ଯାଇଥିବାରୁ ୨୨ ତାରିଖ ସକାଳେ ଏ ନେଇ ଲିଖିତ ଅଭିଯୋଗ କରିଥିବା ପୀଡିତା କହିଛନ୍ତି। ପୁଲିସ ଏ ନେଇ ମାମଲା ରୁଜୁ କରିବା ସହ ଆଜି ପୀଡିତାଙ୍କୁ ଡାକ୍ତରୀ ମାଇନା କରାଇଛି। ଏ ସଂପର୍କରେ ଆଇଆଇସି ତପନ କୁମାର ନାୟକଙ୍କୁ ପଚାରିବାରୁ ଘଟଣା ପଛରେ ରହସ୍ୟ ରହିଛି। ମହିଳାଙ୍କ ସ୍ବାମୀଙ୍କ ସାଙ୍ଗ ଧରା ପଡିବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ। ଖୁବ ଶୀଘ୍ର ଉଭୟଙ୍କୁ ଧରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର